ରାଜ୍ୟରେ ୫୮ ନୂଆ ପଜିଟିଭ୍, ପୁଣି ଜଣେ ମୃତ
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ପଜିଟିଭ୍ ସଂଖ୍ୟା । ସକାଳୁ ସକାଳୁ ରାଜ୍ୟରେ ୫୮ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ମଧ୍ୟ କୁହାଯାଇଛି । ମୃତକ ରୋଗୀ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଜଣ ଗଞ୍ଜାମର । ଫଳରେ ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି ।
ସେହିପରି ଅନଗୁଳର ୧୩ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଫଳରେ ଅନଗୁଳରେ କରୋନା ତାର କାୟା ବିସ୍ତାର କରିଛି ।
ଏବେ ମାତ୍ର ୧୦ଟି ଜିଲ୍ଲା କରୋନା ମୁକ୍ତ ହୋଇ ରହିଛି । ମୋଟ ୨୦ଟି ଜିଲ୍ଲାକୁ କରୋନା ତା ନିଜ କବଳକୁ ନେଇ ଯାଇଛି । ଆକ୍ରାନ୍ତ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇ ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ୨୮୧ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।