ରେଡ୍ ରୁ ଗ୍ରୀନ୍ ଜୋନ୍ ଆଡକୁ ଯାଉଛି ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟର ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ଖୋର୍ଦ୍ଧା ଜିଲ୍ଳା ଏବେ ରେଡ୍ ଜୋନରୁ ଗ୍ରୀନ୍ ଜୋନ୍ ଆଡକୁ ଯାଉଛି । ଗତ ଏକ ସପ୍ତାହ ହେଲା ଖୋର୍ଦ୍ଧା ଜିଲ୍ଲାର କୌଣସି ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଳାରେ ମୋଟ ୪୬ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିବା ସହ ୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାତ୍ର ୨୩ଜଣ ଏବେ ଚିକିତ୍ସିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କର ଆଉ ଲକ୍ଷଣ ଜଣା ପଡୁ ନଥିବା ବେଳେ କେବଳ ସେମାନଙ୍କର ନେଗେଟିଭ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜିଲ୍ଲାର ଅର୍ଦ୍ଧେକ ରୋଗୀ ସୁସ୍ଥ ହୋଇ ଫେରିଥିବା ବେଳେ ଗତ ସପ୍ତାହକ ମଧ୍ୟରେ କୌଣସି ରୋଗୀ ଚିହ୍ନଟ ନହେବା ଏକ ଶୁଭ ଲକ୍ଷଣ ବୋଲି କୁହାଯାଇଛି ।
କେବଳ ସଟ୍ ଡାଉନ୍ କରିବା ଏବଂ ଆକ୍ରାନ୍ତ ଅଂଚଳକୁ କଣ୍ଟେନମେଣ୍ଟ କରି ରଖିବା ଯୋଗୁ ସଂକ୍ରମଣ ବ୍ୟାପି ପାରିନଥିବା ମଧ୍ୟ କୁହାଯାଉଛି । ବମିଖାଲ ଅଂଚଳରେ ଏକଦା ୧୮ଜଣ ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । କେବଳ ବମିଖାଲ ନୁହେଁ ସୂର୍ଯ୍ୟନଗର, ସତ୍ୟନଗର ମଧ୍ୟ ସମସ୍ତଙ୍କ ପାଇଁ ଚିନ୍ତା ଆଣିଥିଲା । ସେହିପରି ଝାରପଡା ଅଂଚଳର ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଏବଂ ତାଙ୍କ ପରିବାରର ଦୁଇ ଶିଶୁ ଆକ୍ରାନ୍ତ ହେବା ମଧ୍ୟ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଥିଲା । ମାତ୍ର କଡା କାର୍ଯ୍ୟାନୁଷ୍ଠାନ ସଟ୍ ଡାଉନ ପରି ନିଷ୍ପତ୍ତି, ଆକ୍ରାନ୍ତ ଅଂଚଳକୁ କଣ୍ଟେନମେଣ୍ଟ କରି ରଖିବା ଯୋଗୁ ଏଠାରେ ସଂକ୍ରମଣ ହାର ହ୍ରାସ ଘଟିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ରାଜଧାନରେ ପ୍ରଥମ କରେନା ମାର୍ଚ୍ଚ ୧୬ ତାରିଖରେ ବରଗଡ଼ ଅଂଚଳରୁ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ବିଦେଶ ଫେରନ୍ତା ହୋଇଥିଲେ । ଏହା ପରେ ପରେ ରାଜଧାନୀର ବିଭିନ୍ନ ଅଂଚଳରେ କରୋନା ମାଡି ଚାଲିଥିଲା । ମାତ୍ର ଗତ ୧୮ତାରିଖ ଠାରୁ ଏଠାରେ କୌଣସି ଆକ୍ରାନ୍ତ ଚିହ୍ନଟ ନହେବା ରାଜଧାନୀ ବାସୀଙ୍କୁ ଆଶ୍ୱସ୍ଥ କରିଛି ।

Spread the love

Leave a Reply

Your email address will not be published. Required fields are marked *