ସାଂସଦଙ୍କ ବେତନ ୩୦% ହ୍ରାସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ବିପୁଳ ପାଣ୍ଠିର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟ୍ ସୋମବାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦଙ୍କ ବେତନ ଏକବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବା ଲାଗି ଏକ ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି । ଏହାଫଳରେ ଏପ୍ରିଲ ୨୦୨୦ରୁ ଏକବର୍ଷ ପାଇଁ ମନ୍ତ୍ରୀ ଓ ସାଂସଦଙ୍କ ବେତନ ୩୦ ପ୍ରତିଶତ ହ୍ରାସ ପାଇବ । ଏହାଛଡ଼ା ସାଂସଦ ପାଣ୍ଠି (ଏମ୍‌ପି ଲ୍ୟାଡ୍‌) ପାଣ୍ଠିକୁ ମଧ୍ୟ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଂସଦମାନଙ୍କର ୨୦୨୦-୨୧ ଓ ୨୦୨୧-୨୨ ବର୍ଷର ସାଂସଦ ପାଣ୍ଠି ବାବଦ ୭,୯୦୦ କୋଟି ଟଙ୍କାର ଅର୍ଥରାଶି ସରକାରଙ୍କ କନସୋଲିଡେଟେଡ୍ ଫଣ୍ଡ୍‌କୁ ଯିବ ଏବଂ ତାହା କରୋନା ସଂକ୍ରମଣ ରୋକିବାରେ ବିନିଯୋଗ କରାଯିବ । କୋଭିଡ-୧୯ର ସଂକ୍ରମଣ ଭାରତରେ ମହାମାରୀର ରୂପ ନେବା ପୂର୍ବରୁ ଏହାକୁ ରୋକିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କରୋନାର ଚିକିତ୍ସା ପାଇଁ ବିପୁଳ ଅର୍ଥରାଶିର ଆବଶ୍ୟକତା ପଡୁଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ସବୁ ରାଜ୍ୟର ରାଜ୍ୟପାଳ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ବେତନର ୩୦ ପ୍ରତିଶତ ରାଜକୋଷକୁ ଦାନ କରିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *