ସୁସ୍ଥ ହେଲେ ୭୩ଜଣ, ହଜାରେ ଟପିଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ପୂର୍ବାହ୍ନରେ ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୧ଜିଲ୍ଲାରୁ ୭୩ଜଣ ସୁସ୍ଥ୍ ହୋଇଥିବା ସୂଚନା ମିଳିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ବୌଦ୍ଧରୁ ସର୍ବାଧିକ ୨୮ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୧ଜଣ, କେନ୍ଦ୍ରାପଡାରୁ ୧୦ଜଣ, କଟକରୁ ୯ଜଣ, ଖୋର୍ଦ୍ଧାରୁ ୭ଜଣ, ଅନୁଗୁଳ ଓ ମାଲକାନାଗିରିରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ, ଯାଜପୁରୁ, କନ୍ଧମାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି ।
ମୋଟ ୧୮୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୦ଜଣ ସୁସ୍ଥ ହୋଇଥିବା ବେଳେ ୭୬୦ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୪୦୪ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୮ଜଣ ସୁସ୍ଥ ହୋଇସାରିଛନ୍ତି ।
ସେହିପରି ଯାଜପୁର ଜିଲ୍ଲାରେ ୨୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ୧୩୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରର ୧୪୬ରୁ ୧୨୧ଜଣ, ଭଦ୍ରକର ୧୧୩ରୁ ୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।