ସୋଆ ଗବେଷକ ପ୍ରସ୍ତୁତ କଲେ ସାନିଟାଇଜର୍
ଭୁବନେଶ୍ୱର, ମେ 25: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ‘ଶିକ୍ଷା ଓ ଅନୁସନ୍ଧାନ’ ଡିମଡ୍ ବିଶ୍ୱବିଦ୍ୟାଳୟ ଭାଇରସ୍ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର୍ ।
ସୋଆ ପରିଚାଳିତ ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ୍ ସାଇନ୍ସ ଅଧିନସ୍ଥ ସେଣ୍ଟର୍ ଅଫ ବାଇଓଟେକ୍ନୋଲୋଜିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ସ୍ୱତନ୍ତ୍ର ସାନିଟାଇଜର୍ । ଇସାପ୍ରୋପାନଲ୍, ହାଇଡ୍ରୋଜେନ୍ ପେରୋକ୍ସସାଇଡ୍, ଗ୍ଲିସେରୋଲ୍ ଏବଂ ସ୍କିନ୍ ଏମୋଲିଏଣ୍ଟ୍ ପ୍ରଭୃତି ମିଶ୍ରଣ କରାଯାଇ ଏହି ସାନିଟାଇଜର୍ ପାଇଁ ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସିବିଟିର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ବାସୁଦେବ କର । ଲେମନ୍ ଗ୍ରାସ୍ (ଲେମ୍ବୁ ଘାସ) ସୁଗନ୍ଧ ମିଶ୍ରିତ ଏହି ସାନିଟାଇଜରର୍ 300 ଟି ବୋତଲ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳି ଅନୁଯାୟୀ ଏହି ସାନିଟାଇଜର୍ ପ୍ରସ୍ତୁତ କରାଯାଇଥିବା ବେଳେ ବଜାରରେ ବିକ୍ରି ପାଇଁ ନୁହେଁ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ବଣ୍ଟନ କରାଯିବ ବୋଲି ଡ଼ଃ କର କହିଛନ୍ତି ।
ଡ଼ଃ କର ଏବଂ ଡ଼ଃ ସୁପ୍ରଭା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଶୁଭଶ୍ରୀ ସିଂ, ଭାସ୍କର ଚନ୍ଦ୍ର ସାହୁ, ମନସ୍ବିନୀ ଦାସ, ଦେବାଶିଷ ସାହୁ ଏବଂ ଭବାନୀ ଶଙ୍କର ବେହେରା ବେହେରା ପ୍ରମୁଖ ସୋଆ ସିବିଟିର ଗବେଷକମାନେ ଏହି ସାନିଟାଇଜର୍ ପ୍ରସ୍ତୁତିରେ ସାମିଲ ଥିଲେ ।
ଏହି ଗବେଷକ ଟିମଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଂଜନ ନାୟକ, ଏସପିଏସ୍ ଡିନ୍ ପ୍ରଫେସର୍ ଏସ.ସି.ସି ଏବଂ ସିବିଟି ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ପ୍ରମୁଖ ତାଙ୍କ ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।