୨୦ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଯୋଜନା

ଉପକୃତ ହେବେ ୨୫ଲକ୍ଷ ଶ୍ରମିକ, ଖୋଳାଯିବ ୧.୩ଲକ୍ଷ ପୋଖରୀ
ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଏହି ପ୍ରବାସୀ ମାନେ ଏବେ ରାଜ୍ୟରେ କାମ ଧନ୍ଦା ନପାଇ ହନ୍ତସନ୍ତ ହେଉଥିବା ମଧ୍ୟ ଦୃଷ୍ଟି ଗୋଚର ହେଉଛି । ଏହାର ସମାଧାନ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏପରିକି ଏଥିପାଇଁ ୨ଶହ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଇଥିବା ଜଣାପଡିଛି । ଏଥିରେ ମୋଟ ୨୫ଲକ୍ଷ ଶ୍ରମିକ ଉପକୃତ ହେବା ସହ ସେମାନଙ୍କୁ ଉପଯୋଗ କରାଯାଇ ରାଜ୍ୟରେ ନୂତନ ୧ଲକ୍ଷ ୩ହଜାର ପୋଖରୀ ଖୋଳାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କେବଳ ସେତିକି ନୁହେଁ ଏହି ଶ୍ରମ ଦିବସ ସୃଷ୍ଟି ଦ୍ୱାରା ରାଜ୍ୟରେ ନିର୍ମାଣ କ୍ଷେତ୍ରଠାରୁ ଆରମ୍ଭ କରି କୃଷି କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାରଙ୍କ ଅନୁମାନଠାରୁ ଅଧିକ ସଂଖ୍ୟାର ପ୍ରବାସୀ ରାଜ୍ୟକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି ।

ଅଦ୍ୟାବଧି ରାଜ୍ୟକୁ ପ୍ରାୟ ସାଢ଼େ ୫ଲକ୍ଷ ପ୍ରବାସୀ ଫେରିସାରିଛନ୍ତି । ଏଣୁ ବର୍ତ୍ତମାନ ସେମାନଙ୍କୁ କର୍ମନିଯୁକ୍ତ ଯୋଗାଇ ଦେବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି । ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ସେମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି । ପ୍ରବାସୀ ମାନଙ୍କୁ ମନରେଗା ଜରିଆରେ କାମ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇସାରିିଛି ।

ସମବାୟ ସମିତି ଜରିଆରେ କୃଷି ପାଇଁ ୯ହଜାର କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ପ୍ରବାସୀ ମାନଙ୍କୁ ନେଇ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *