୫ଜଣ ସୁସ୍ଥ ହୋଇ ଘରକୁ ଗଲେ
ଭୁବନେଶ୍ୱର: ରାଜ୍ୟରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର, ଢ଼େଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୯ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା କୁହାଯାଇଛି । ଏବେ ୪୯ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଗତକାଲି ୧୩ଜଣ ଓ ଆଜି ୫ଜଣ ଏମିତି ଦୁଇ ଦିନ ମଧ୍ୟରେ ହଠାତ ୧୮ଜଣ ପଜିଟିଭ୍ ବାହାରିବା ପରେ ରାଜ୍ୟସରକାରଙ୍କର ମୁଣ୍ଡବ୍ୟଥା ବଢ଼ିଯାଇଥିଲା । ମାତ୍ର ଏହି ୫ଜଣ ସୁସ୍ଥ ହୋଇ ଘରକୁ ଫେରିବା ସାମାନ୍ୟ ଆଶ୍ୱସ୍ଥି ଆଣିଦେଇଛି । ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିମାନଙ୍କୁ ନିଜ ଘରେ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।