୯ଟି ସଂକଳ୍ପ ଆଧାରରେ ହେବ ଓଡିଶାର ସର୍ବାଙ୍ଗୀନ ବିକାଶ: ବିଜେପି
ବିଜେପି ସରକାରକୁ ଆସିଲେ ଅନ୍ତୋଦୟ କରିବ ଗରିବଙ୍କ ଉତ୍ଥାନ, ନବ-ମଧ୍ୟବିତ ବର୍ଗ କରିବେ ନୂଆ ଓଡ଼ିଶାର ନିର୍ମାଣ
ଶିଳ୍ପ ବିପ୍ଳବ ଦେବ ଓଡ଼ିଶାକୁ ନୂଆ ଆକାର, ସବୁ ଯୁବକ ଯୁବତୀଙ୍କୁ ମିଳିବ ଉତମ ଶିକ୍ଷା, କୌଶଳ ଏବଂ ରୋଜଗାର
ବହୁତ ହେଲା ମହିଳାଙ୍କ ଅପମାନ, ନୂଆ ଓଡ଼ିଶାରେ ସୁନିଶ୍ଚିତ ହେବ ମହିଳାଙ୍କ ସୁରକ୍ଷା, ସ୍ୱାବଲମ୍ବନ ଓ ସ୍ୱାଭିମାନ
ଜଳସେଚନ, ଉଚିତମୂଲ୍ୟ, ତଥା ଋଣରୁ ମୁକ୍ତି, ନୂଆ ଓଡ଼ିଶାରେ ମିଳିବ ଚାଷୀଙ୍କୁ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି
ମିଳିବ ବନଧନର ଉଚିତ ମୂଲ୍ୟ, ଜମିର ଅଧିକାର, ଜନଜାତିଙ୍କ ସବୁ ଆଶାକୁ ବିଜେପି ସରକାର କରିବ ସାକାର
ମୌଳିକ ସୁବିଧାର ବଦଳିବ ଦୃଶ୍ୟ, ଘର, ପାଣି, ସଡକ, ବିଜୁଳିରେ ବନିବ ନୂଆ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ
ସ୍ୱାସ୍ଥ୍ୟ ସୁବିଧାରେ ହେବ ନବନିର୍ମାଣ, ନୂଆ ଓଡ଼ିଶାର ପ୍ରତି ନାଗରିକ ହେବେ ଆୟୁଷ୍ମାନ
ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦିରୁ ମୁକ୍ତ ହେବ ନୂଆ ଓଡ଼ିଶା, ସଶକ୍ତ ଜନତାଙ୍କ ପୂରଣ ହେବ ଆଶା
ସଂସ୍କୃତି ଏବଂ ପରମ୍ପରାକୁ ମିଳିବ ସର୍ବୋଚ୍ଚ ସମ୍ମାନ, ପୁଣି ଜାଗ୍ରତ ହେବ ଓଡ଼ିଶାର ସ୍ୱାଭିମାନ
ଭୁବନେଶ୍ୱର, ୦୭ ଅପ୍ରେଲ: ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ, ଓଡିଶାରେ ବିକଳ୍ପ ଶାସନ ବ୍ୟବସ୍ଥା ପାଇଁ, ଏ ଶତାବ୍ଦିରେ ଓଡିଶାକୁ ପୃଥିବୀର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଭାବେ ଗଢିତୋଳିବା ପାଇଁ ନରେନ୍ଦ୍ର ମୋଦିଙ୍କ କଳ୍ପନାକୁ ସାକାର କରିବା କରିବା ପାଇଁ ବିଜେପି ପକ୍ଷରୁ ଆଜି ସାଢେ ୪ କୋଟି ଓଡିଆଙ୍କ ସାମ୍ନାରେ ୯ଟି ସଂକଳ୍ପ ଉପସ୍ଥାପିତ କରାଯାଇଛି ବୋଲି ଭୁବନେଶ୍ୱର ଠାରେ ଆଗାମୀ ନିର୍ବାଚନ ପରପ୍ରେକ୍ଷୀରେ ଓଡିଶାବାସୀଙ୍କ ପାଇଁ ବିଜେପିର ରାଜ୍ୟବାସୀଙ୍କୁ ଦୃଢ ପ୍ରତିଶ୍ରୁତି ସମ୍ବଳିତ ୫୨ ପୃଷ୍ଠାର ଦସ୍ତାବିଜର ଲୋକାର୍ପଣ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୩୬କୁ ଓଡିଶାକୁ ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରୁଥିବା ବେଳେ ଏହାର ବିକାଶର ଅଭିଯାନକୁ ତୀବ୍ର କରିବା ପାଇଁ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ଓଡିଶାରେ ଏକ ସର୍ବସମାବେଶୀ ନୂଆ ବିକଳ୍ପ ଦେବା ପାଇଁ ଠିଆହୋଇଛି । ବିଗତ ୫ ବର୍ଷ ଧରି ଗୋଟିଏ କଲ୍ୟାଣକାରୀ ଶାସନ ବ୍ୟବସ୍ଥା ସବ୍ କି ସାଥ ସବକି ବିକାଶ ଆଭିମୁଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷ ପାଇଁ ଏକ ନୂଆ ବ୍ୟବସ୍ଥା ସଫଳତା ଦିଆଯାଇପାରିଛି ।
ଏହା ମଧ୍ୟରେ ବିଜେପି ନିଜ ସଂଗଠନକୁ ବଢାଇଛି । କଳା, ସଂସ୍କୃତି, ସାହିତ୍ୟ, ରାଜନୀତି ଭଳି ନେତୃତ୍ୱ, ଯୁବବର୍ଗ ଓ ସମାଜର ଅନେକ ବୁଦ୍ଧୀଜୀବୀ ଦଳରେ ଯୋଗଦେଇଛନ୍ତି । ବିଜେପି ଓଡିଶାରେ ଏଥର ବିକଳ୍ପ ଭାବେ ଦୁଇ ଦଶନ୍ଧିର ସ୍ଥାଣୁତା, ଅପାରଗତା, ଭ୍ରଷ୍ଟାଚାର, ସମ୍ବେଦନହୀନତା ଓ ମିଛ ସରକାରରକୁ ହଟେଇବାର ବିନମ୍ର ପ୍ରୟାସ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅମିତ ଶାହଙ୍କ ଦୂରଦୃଷ୍ଟି କାରଣରୁ ଓଡିଶାର ଆଦିବାସୀ ଝିଅ ଯମୁନା ମଣି ଦେଶରେ ନାଁ କରିପାରିଛି, ହଳଧର ନାଗଙ୍କ ଭଳି ବ୍ୟକ୍ତି, ଚା’ ବିକାଳୀ ଡି.ପ୍ରକାଶ ରାଓ ଏବଂ ଆଦିବାସୀ ସଂପ୍ରଦାୟର କମଳା ପୂଜାରୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ପାଇଛନ୍ତି । ସେହିପରି ଭାରତବର୍ଷରେ ପ୍ରଥମ ଥର ରଘୁନାଥ ମହାପାତ୍ରଙ୍କ ଭଳି ଓଡିଶା ସମାଜର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ରାଜ୍ୟସଭାକୁ ଯାଇଥିବା ବେଳେ କୋରାପୁଟ ବୁଣାକାର ପାଣିକା ଓ ପ୍ରଫୁଲ କରଙ୍କ ଭଳି ସଙ୍ଗୀତଜ୍ଞ ଆଜି ପଦ୍ମ ପୁରସ୍କାରରେ ସ୍ୱୀକୃତି ପାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିଜେପି ସରକାରକୁ ଆସିଲେ ଅନ୍ତୋଦୟ ମାଧ୍ୟମରେ ଓଡିଶାର ଦାରିଦ୍ରତାକୁ ମୂଳତ୍ପାଟନ ନବ ମଧ୍ୟବିତ ବର୍ଗ କରିବେ ନୂଆ ଓଡିଶାର ବିକାଶ । ଏହାଦ୍ୱାରା ଓଡିଶାର ଗରିବ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣି ସେମାନଙ୍କୁ ନବ-ମଧ୍ୟବିତ କରାଯିବା ରାଜ୍ୟର ସମସ୍ତ ପଛୁଆ ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ କରାଯିବ । ଓଡିଶାରେ ଦକ୍ଷ ମାନବ ସମ୍ବଳ, ଉଚ୍ଚମାନର ଖଣିଜ ପଦାର୍ଥ, ଉର୍ବର କୃଷିକ୍ଷେତ୍ର ଏବଂ ସର୍ବୋପରି ବିସ୍ତିର୍ଣ୍ଣ ବେଳାଭୂମି ରାଜ୍ୟ ବିକାଶର ଆଧାର ହେବ । ପୂର୍ବୋଦୟରୁ ନୂଆ ଭାରତର ଉଦୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ମାଧ୍ୟମରେ ସବୁ ଯୁବକ ଯୁବତୀଙ୍କୁ ମିଳିବ ଉତମ ଶିକ୍ଷା, କୌଶଳ ଏବଂ ରୋଜଗାରର ଲମ୍ବା ଚିତ୍ର ଆଜି ସଂକଳ୍ପରେ ଉଲ୍ଲେଖ କରାଯାଇଛିା ଓଡିଶାର ରୋଜଗାର ରାଜସ୍ୱ ବଢାଇବା ପାଇଁ ଓଡିଶାକୁ ଦକ୍ଷିଣ-ପୂର୍ବ ଏସିଆର ସମସ୍ତ ପ୍ରକାର ବ୍ୟବସାୟିକ କାରବାରର ପ୍ରମୁଖ ପେଣ୍ଠସ୍ଥଳି ଭାବରେ ଗଢି ତୋଳିବାକୁ ଆମେ ରାଜ୍ୟର ଯୋଗାଣ କ୍ଷେତ୍ରକୁ ବିଶ୍ୱ ସହ ସଂଯୋଗ କରାଇବୁ । ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି ସୁବିଧା ଦିଆଯିବ । ୨ ବର୍ଷ ଭିତରେ ରାଜ୍ୟରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣକୁ ସୁନିଶ୍ଚିତ କରାଯିବ ।
ସେହିପରି ଓଡିଶାରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଅକଥନୀୟ । ବିଜେପି ସରକାର ହେଲେ ୧୫ ବର୍ଷରୁ କମ୍ ବୟସର ବାଳିକାମାନଙ୍କ ସହ ଦୁଷ୍କର୍ମରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପ୍ରଥମେ ମୃତ୍ୟୁଦଣ୍ଡ ଦିଆଯିବ । ମୋଦି ସରକାର ଏହା ପାଇଁ କଡା ଆଇନ ପାସ କରିସାରିଥିବା ବେଳେ ଓଡିଶା ସରକାରରେ ଏହି ପଦକ୍ଷେପ ନିଆଯାଇନାହିଁ । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେଇଥିବା ସମସ୍ତ ବକେୟା ଋଣର ଏକକାଳୀନ ଛାଡ଼ ସୁବିଧା ସହ ୩ ଲକ୍ଷ ପର୍ୟ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ୍ ଗଠନ କରାଯିବ, ନୂଆ ଓ ପୁରୁଣା ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମୂଳପୁଞ୍ଜି (ସିଡ୍ମନି) ପ୍ରଦାନ କରାଯିବ ।
ସେହିପରି ଜଳସେଚନ, ଉଚିତମୂଲ୍ୟ, ତଥା ଋଣରୁ ମୁକ୍ତି ଦିଆଯାଇ ନୂଆ ଓଡ଼ିଶାରେ ଚାଷୀଙ୍କୁ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ମିଳିବ ।
୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ମାଧ୍ୟମରେ ଜଳସେଚନକୁ ବିସ୍ତାର କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଲାଗୁ କରିନଥିବା ବେଳେ ବିଜେପି ସରକାର ହେଲେ ଓଡିଶାରେ ପିଏମ୍ କିଷାନର ଶତ ପ୍ରତିଶତ କ୍ରିୟାନ୍ୱୟନ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତିଙ୍କ ସବୁ ଆଶାକୁ ବିଜେପି ସରକାର ସାକାର କରିବ । ବନଧନର ଉଚିତ ମୂଲ୍ୟ, ଜମିର ଅଧିକାର ମିଳିବ । ସବୁ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ସ୍ଥିର ହେବାସହ ସପ୍ତାହକ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଓଡିଶା ପାଇଁ ଘର, ପାଣି, ସଡକ, ବିଜୁଳିରେ ବନିବ ନୂଆ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟ ହେବ । ପ୍ରତ୍ୟେକ ପରିବାର ୨୦୨୨ ସୁଦ୍ଧା ପଟ୍ଟା ସହ ପକ୍କା ଘରେ ରହିବ । ସବୁ ଘରକୁ୨୪ ଘଂଟିଆ ପାଇପ୍ ଯୋଗେ ପାଣି ଏବଂ ବିଜୁଳି ଯୋଗାଣ ହେବ ।
ସେହିପରି ସ୍ୱାସ୍ଥ୍ୟ ସୁବିଧାରେ ନବନିର୍ମାଣ ହେବ । ବିଜେପି ସରକାର ଆସିବା ମାତ୍ରେ ହିଁ ‘ଆୟୂଷ୍ମାନ ଭାରତ’ ଲାଗୁ ହେବ । ଓଡ଼ିଶା ନ୍ୟୁଟ୍ରେସନ୍ ମିଶନ୍ ମାଧ୍ୟମରେ ଅପପୁଷ୍ଟିର ଯୁଦ୍ଧକାଳୀନ ଭିତିରେ ମୁକାବିଲା କରାଯିବ । ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦିରୁ ଓଡ଼ିଶା ମୁକ୍ତ ହେବ । ଗୁଣ୍ଡା ଓ ସମାଜ ବିରୋଧି ତତ୍ୱଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ବେଆଇନ ଖଣି ଖନନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଓ ଖଣି ମାଫିଆଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ।
ଏତଦବ୍ୟତିତ ସଂସ୍କୃତି ଏବଂ ପରମ୍ପରାକୁ ସର୍ବୋଚ୍ଚ ସମ୍ମାନ ମିଳିବ ଓ ଓଡ଼ିଶାର ସ୍ୱାଭିମାନ ପୁଣି ଜାଗ୍ରତ ହେବ । ଓଡ଼ିଶା ପ୍ରଶାସନରେ ଓଡ଼ିଆ ଭାଷାର ପ୍ରଚଳନ କଡ଼ାକଡ଼ି ଭାବେ ଏବଂ ପ୍ରକୃତ ଅର୍ଥରେ କରାଯିବ । ୧୫ଟି ଟୁରିଜିମ୍ ସର୍କିଟ୍ ମାଧ୍ୟମରେ ଓଡ଼ିଶାକୁ ସାରା ବିଶ୍ୱର ପର୍ଯ୍ୟଟନର ହଟସ୍ପଟ କରାଯିବ । ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ବକ୍ସି ଜଗବନ୍ଧୁଙ୍କ ବିଶାଳ ପ୍ରତିମୂର୍ତୀ ସହ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ କରାଯିବ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।