ୱେବିନାର୍ ମାଧ୍ୟମରେ ଉତ୍କଳୀୟ ନବବର୍ଷ ପାଳିତ
ଭୁବନେଶ୍ୱର, ୧୩/୪: ବିଶ୍ଵବ୍ୟାପୀ ମହାମାରୀ କରୋନା ପ୍ରାଦୁର୍ଭାବରେ ଚାରିଆଡ଼େ ଲକ୍ ଡାଉନ ଯୋଗୁଁ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଝାମୁଯାତ୍ରା ତଥା ପଣା ସଂକ୍ରାନ୍ତି ପର୍ବ ଓ ଉତ୍କଳୀୟ ନବବର୍ଷ ପାଳନ ପ୍ରାୟତଃ ଫିକା ପଡ଼ିଯାଇଥିବା ବେଳେ କିଛି ଉଦୀୟମାନ ଯୁବକ ଏହି ନବବର୍ଷ ଅତ୍ୟନ୍ତ ଉତ୍ସାହର ସହିତ ୱେବିନାର୍ ମାଧ୍ୟମରେ ପାଳନ କରିଛନ୍ତି । ପରସ୍ପର ଉତ୍କଳୀୟ ନବବର୍ଷର ଶୁଭେଚ୍ଛା ଜଣାଇବା ସହ କରୋନାର ବିନାଶ ଏବଂ ଓଡ଼ିଶାର ଉତ୍ତରୋତ୍ତର ପ୍ରଗତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ ।
ଦିଲ୍ଲୀ, ମୁମ୍ବାଇ, ପୁଣେ ଆଦି ସହର ମାନଙ୍କରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ ଏହି ୱେବିନାର୍ ଅତ୍ୟନ୍ତ ଉତ୍ସାହପ୍ରଦ ରହିଥିଲା । ଉତ୍କଳୀୟ ନବବର୍ଷର ବୈଶିଷ୍ଟ୍ୟ ସହ ଏହି ଦିନର ଆଧ୍ୟାତ୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଆଧାରରେ ସ୍ୱତନ୍ତ୍ରତା ଉପରେ ଆଲୋଚନା ଜୋର ଧରିଥିଲା । ଏହିଦିନ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି ପୃଥିବୀର ଠିକ୍ ମଧ୍ୟଭାଗ ବା ମେରୁଭାଗରୁ ମେଷ ରାଶିକୁ ସଞ୍ଚଳନ କରୁଥିବାରୁ ଏହା ମେଷ ସଂକ୍ରାନ୍ତି ରୂପେ ମଧ୍ୟ ପରିଚିତ ଏବଂ ଓଡ଼ିଶାରେ ପଣା ସଂକ୍ରାନ୍ତି ପର୍ବ ସହିତ ଭାରତର ବିଭିନ୍ନ ସ୍ଥାନରେ ବୈଶାଖୀ ପର୍ବରୂପେ ପାଳନ କରାଯାଏ ବୋଲି ମତ ପ୍ରକାଶ ପାଇଥିଲା ।
ଏହି ଦିନରୁ ନୂତନ ଜଗନ୍ନାଥ ପଞ୍ଜିକା ପ୍ରଚଳନ ଆରମ୍ଭ ହୁଏ ବୋଲି କହିଥିଲେ ଚଞ୍ଚଳା ସାହୁ ।
ଓଡ଼ିଶାର ଜଗନ୍ନାଥଙ୍କ ପୁରୀଧାମ ଶହେ କୋଟିରୁ ଉର୍ଦ୍ଧ୍ବ ହିନ୍ଦୁ ସମାଜର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହୋଇଥିବାରୁ ଏହାକୁ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ରୂପେ ଅଧିକ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସଂଦୀପ୍ତ ଦାସ ।
ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମ୍ପଦର ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶାର ଦାରିଦ୍ର୍ୟ ନେଇ ସମସ୍ତେ ନିଜ ନିଜର କ୍ଷୋଭ ପ୍ରକାଶ କରିଥିଲେ ।
ହିନ୍ଦୁ ଧର୍ମର ପ୍ରମୁଖ ତୀର୍ଥସ୍ଥାନ ସହ ଅନେକ ବୌଦ୍ଧ କୀର୍ତ୍ତିମାନ ଥିଲେ ମଧ୍ୟ ଆମେ ଏହାର ପର୍ଯ୍ୟଟନ ନିମନ୍ତେ ବିଶେଷ ଉପଯୋଗ କରିପାରୁନାହୁଁ ବୋଲି ଉଦବେଗ ପ୍ରକାଶ ପାଇଥିଲା । ତେବେ ସମସ୍ତେ ନିଜ ନିଜ ସ୍ତରରେ ଏଥିପାଇଁ ଉଦ୍ୟମ କରିବାକୁ ସହମତି ପ୍ରଦାନ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀରୁ ବାସୁଦେବ ଚୌଧୁରୀଙ୍କ ସମେତ ଅନ୍ୟ ସହରମାନଙ୍କରୁ ବିଭୁତିଭୂଷଣ ଦାସ, ବିଷ୍ଣୁପ୍ରସାଦ ରକ୍ଷିତ, ଦୀପକ ପାଣ୍ଡେ, ଲଲାଟେନ୍ଦୁ ପାତ୍ର, ନରେନ୍ଦ୍ରନାଥ ନାୟକ, ଜ୍ୟୋତିଶଙ୍କର ଦାଶ, ପୂର୍ଣ୍ଣଚନ୍ଦ୍ର କର, ରବୀନ୍ଦ୍ର ମିଶ୍ର, ସୌଭାଗ୍ୟ ଦାସ, ଶୁଭ୍ରଜିତ ଦାଶ, ଅମୂଲ୍ୟ କୁମାର ଧଳ, ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱରରୁ ଦୀନବନ୍ଧୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।