ପ୍ରଚାର ସମୟରେ ନିରଞ୍ଜନଙ୍କୁ ଆକ୍ରମଣ, ୨୦ ଗୁରୁତର
ଭୁବନେଶ୍ୱର,ଅପେଲ ୨୨: ପ୍ରଚାରର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀମାନେ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଛି।
ନିରଞ୍ଜନଙ୍କ କହିବା ଅନୁସାରେ, ଗଡ଼ବାନ୍ଧଗୋଡ଼ା ଗ୍ରାମର ଦାନ୍ତିଆ ଗ୍ରାମରୁ ପ୍ରଚାର ସାରି ରାମଚନ୍ଦ୍ରପୁର ଆଡ଼କୁ ଫେରୁଥିଲେ । ଫେରିବା ବାଟରେ ପ୍ରାୟ ସାଢ଼େ ୫ଟାବେଳେ ତାଙ୍କୁ ଭଣ୍ତାରିପଡ଼ା ଛକ ନିକଟରେ କେତେକ ଯୁବକ ଅଟକାଇଥିଲେ । ଶୋଭାଯାତ୍ରାରେ ଥିବା ଗୋଟିଏ ଗାଡ଼ିର ଚାବି ନେଇଯିବା ସହିତ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ସଂପୃକ୍ତ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଫେରିଯିବାକୁ ଧମକ ଦେଇଥିଲେ।
ଏହି ସମୟରେ ଖବରପାଇ ରାମଚନ୍ଦ୍ରପୁର ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ସେଠାରେ ପହଞ୍ଚି ଗାଡ଼ିଗୁଡ଼ିକୁ ନେଇ ଆସିଥିଲେ। ସେଠାରୁ ତିନି କିଲୋମିଟର ଆସିବା ପରେ ନହଙ୍ଗିଛକ ନିକଟରେ ରାସ୍ତାରେ ଏକ ମେଟାଲ ଟ୍ରାକ୍ଟର ରଖି ଗାଡ଼ିଗୁଡ଼ିକୁ ପୁଣି ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା । ଗାଡ଼ିରେ ଥିବା କର୍ମୀମାନଙ୍କୁ ଘୋଷାଡ଼ି ଆଣି ଲୁହାରଡ୍, ଖଣ୍ତା, ଭୁଜାଲିରେ ଆକ୍ରମଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତଙ୍କ ମୋବାଇଲ ଓ ପର୍ସ ମଧ୍ୟ ଛଡ଼ାଇ ନେଇଯାଇଥିଲେ। ଆକ୍ରମଣକାରୀମାନେ ନିରଞ୍ଜନଙ୍କ କାରର କାଚ ଭାଙ୍ଗିଦେଇଥିଲେ। ସେହି ଗାଡ଼ିରେ ବସିଥିବା କଂଗ୍ରେସର ପର୍ଯ୍ୟବେକ୍ଷକ ସାନଖେମୁଣ୍ତିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଫଳରେ ସେ ଆହତ ହୋଇଛନ୍ତି।
ରାମଚନ୍ଦ୍ରପୁର ଥାନାରୁ ଅଧିକ ପୁଲିସ୍ ଫୋର୍ସ ପହଞ୍ଚିବା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପୁଲିସ୍ ପିସିସି ସଭାପତିଙ୍କ ସମେତ ଆହତମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟ ଆହତଙ୍କ ମଧ୍ୟରେ ସଦାନନ୍ଦ ନାୟକ, ପ୍ରଦୀପ ଜେନା, ବ୍ରଜବନ୍ଧୁ ବେହେରା, ସିକୁଲ ଦାସ, କାଳନ୍ଦୀ ରାଉତଙ୍କୁ ଚିକିତ୍ସାପାଇଁ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଅନ୍ୟ କେତେଜଣ ଆହତ ହୋଇଥିଲେ ବି ପ୍ରାଣ ବିକଳରେ ଘଟଣାସ୍ଥଳରୁ ପଳାଇଯାଇଥିବା ଜଣାପଡ଼ିଛି।