ଦୟନୀୟ ହେବ ୪୦କୋଟି ଭାରତୀୟ ଶ୍ରମିକଙ୍କ ଅବସ୍ଥା
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ବିଶ୍ୱ ଅର୍ଥନୀତି ଧରାଶାୟୀ ହୋଇପଡ଼ିଥିବା ବେଳେ ଏବେ ବିଭିନ୍ନ କ୍ଷେତ୍ରରେ ବିପର୍ଯ୍ୟୟ ଦେଖାଯିବାର ସମ୍ଭାବନା ଉପୁଜିଛି । ବିଶେଷକରି ବିଶ୍ୱର ବିକାଶଶୀଳ ରାଷ୍ଟ୍ରମାନଙ୍କ ଅର୍ଥନୈତିକ ସ୍ଥିତି ଆଗାମୀ ଦିନରେ ଅଧିକ ସଂଗିନ ହେବାକୁ ଯାଉଛି ବୋଲି ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇଏମ୍ଏଫ୍) ପକ୍ଷରୁ ପୂର୍ବରୁ କୁହାଯାଇସାରିଥିବା ବେଳେ ଏବେ ଭାରତୀୟ ଶ୍ରମଜୀବୀଙ୍କ ସମ୍ପର୍କରେ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ପକ୍ଷରୁ କରାଯାଇଥିବା ଏକ ଆକଳନଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି ।
ଏହି ରିପୋର୍ଟ ଅନୁଯାୟୀ କରୋନା ପ୍ରଭାବରେ ଭାରତରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ କୋଟିରୁ ଊର୍ଦ୍ଧ୍ୱ ଶ୍ରମଜୀବୀ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । କରୋନାକୁ ନେଇ ସାରା ବିଶ୍ୱରେ ୨୭୦ କୋଟି ଶ୍ରମଜୀବୀ ପ୍ରଭାବିତ ହୋଇଥିଲା ବେଳେ ଭାରତ ଭଳି ଏକ ବିପୁଳ ଜନସଂଖ୍ୟା ବହୁଳ ରାଷ୍ଟ୍ରରେ ସ୍ଥିତି ଅଧିକ ଜଟିଳ ହୋଇପଡ଼ିବ ବୋଲି କୁହାଯାଇଛି । ଭାରତ ବ୍ୟତୀତ ନାଇଜେରିଆ ଏବଂ ବ୍ରାଜିଲ ଭଳି ରାଷ୍ଟ୍ରରେ ମଧ୍ୟ ଏହି ସମସ୍ୟା ଆହୁରି ଅଧିକ ରହିବ ବୋଲି ରିପୋର୍ଟରେ କୁହାଯାଇଛି ।
ଭାରତରେ ପ୍ରାୟ ୯୦ ପ୍ରତିଶତ ଲୋକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସଂଖ୍ୟା ୪୦୦ ନିୟୁତ ରହିଛି । ଏହି ଶ୍ରେଣୀରେ ନିମ୍ନ ଏବଂ ମଧ୍ୟମ ଶ୍ରେଣୀର ଆୟବର୍ଗ ରହିଥିବା ବେଳେ ସେମାନଙ୍କ ନିଯୁକ୍ତିକୁ ନେଇ ସେଭଳି ବିଶେଷ ସୁବିଧା ସୁଯୋଗର ବ୍ୟବସ୍ଥା ନଥାଏ । ଏହାବ୍ୟତୀତ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ନିଯୁକ୍ତିଭିତ୍ତିକ ନୀତି ପ୍ରଣୟନ କରାଯାଇନଥିବା ବେଳେ ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ କୌଣସି ବ୍ୟବସ୍ଥା ନଥିବାରୁ ସେମାନେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ବୋଲି ଆଇଏଲ୍ଓ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ପୂର୍ଣ୍ଣକାଳୀନ କିମ୍ବା ଆଂଶିକ ଭାବେ ଲକ୍ଡାଉନ୍ ଜାରି ରହିଥିବାରୁ ବିଶ୍ୱର ୮୧ ପ୍ରତିଶତ ଅର୍ଥାତ୍ ୨୭୦ କୋଟି ଶ୍ରମଜୀବୀ ପ୍ରଭାବିତ ହେବେ ବୋଲି କୁହାଯାଇଛି । ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ରାଷ୍ଟ୍ରରେ ନିଯୁକ୍ତି ପ୍ରକ୍ରିୟା ସଙ୍କୁଚିତ ହେବା ଆରମ୍ଭ ହୋଇଛି । ୨୦୨୦ ଏପ୍ରିଲ ୧ ତାରିଖ ସୁଦ୍ଧା ଆଇଏଲ୍ଓକୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ ବର୍ଷର ପ୍ରଥମ ତ୍ରୈମାସିକରେ କାର୍ଯ୍ୟନିର୍ଘଣ୍ଟ ସମୟର ଶତକଡ଼ା ୬.୭ ଭାଗ ହ୍ରାସ ପାଇବ, ଯାହାକି ୧୯୫ ନିୟୁତ ଲୋକଙ୍କ ପୂରା ଦିନର କାର୍ଯ୍ୟନିର୍ଘଣ୍ଟ ସମୟ ସହିତ ସମାନ ।
ଅନ୍ୟପକ୍ଷରେ ଆନ୍ତର୍ଜାତିକ ବିମାନ ପରିବହନ ସଂଘ (ଆଇଏଟିଏ) ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟକୁ ବିଚାର କଲେ ଏ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ନେଇ ବର୍ତ୍ତମାନ ବିମାନ ପରିବହନ ସେବା ସର୍ବାଧିକ ଭାବେ ପ୍ରଭାବିତ ହୋଇଥିବାରୁ ସାରା ବିଶ୍ୱରେ ଅନ୍ୟୂନ ୨୫ ନିୟୁତ ନିଯୁକ୍ତି ପ୍ରଭାବିତ ହେବ ବୋଲି ଆଇଏଟିଏ ପକ୍ଷରୁ କୁହାଯାଇଛି ।