କରାଳ ରୂପ ଦେଖାଇପାରେ କରୋନା
ଚେନ ଭାଙ୍ଗିବାକୁ ଲାଗେ ୨୮ଦିନ
ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିଛି । ୬ସପ୍ତାହ ମଧ୍ୟରେ ଦେଶର ଆକ୍ରାନ୍ତ ୧୦ହଜାର ହେବା ନିଶ୍ଚିତ ଭାବେ ସରକାରଙ୍କ ସହ ଦେଶବାସୀଙ୍କୁ ଆଶ୍ୱସ୍ଥ କରିଛି । ମାତ୍ର ଏହାକୁ ନେଇ ଖୁସି ଜାହିର କରିବା ଆଦୌ ଉଚିତ ନୁହେଁ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ଆସନ୍ତା ଦୁଇ ସପ୍ତାହ ଭାରତ ପାଇଁ ଅତ୍ୟନ୍ତ ଜରୁରୀ ସମୟ । ଏହି ସମୟ ମଧ୍ୟରେ ଦେଶ ସତର୍କତା ଅବଳମ୍ବନ ନକଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି ସଂଗଠନର ସଦସ୍ୟ କେ ଶ୍ରୀନାଥ ରେଡ୍ଡୀ କହିଛନ୍ତି ।
ଦେଶର କିଛି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇଛି । ମାତ୍ର ଲକ୍ ଡାଉନ୍ ଯୋଗୁ ଏହାକୁ ରୋକିବାରେ ଦେଶ ସମର୍ଥ ହୋଇଛି ବୋଲି ସେ କହିଛନ୍ତି ।
ସେହିପରି ଭାରତକୁ ଆସିଥିବା କରୋନ ଭୟଙ୍କର ନୁହେଁ ବୋଲି ଚିନ୍ତା କରିବା ଅନୁଚିତ । ଅବଶ୍ୟ ଏହା ମଧ୍ୟରେ ଏହି ଭୂତାଣୁ ନିଜ ଶରୀର ସଂରଞ୍ଚନାରେ ପରିବର୍ତ୍ତନ ଆଣିଛି । ମାତ୍ର ପରିବର୍ତ୍ତିତ ସଂରଞ୍ଚନା ମଧ୍ୟ ଭୟଙ୍କର ବୋଲି ସେ କହିଛନ୍ତି ।
ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ସମୟ ହୋଇଥିବାରୁ ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ହେବ । କେବଳ ସେତିକି ନୁହେଁ କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କର ନମୁନା ସଂଗ୍ରହଠାରୁ ଆରମ୍ଭ କରି ସେମାନଙ୍କର ଚିକିତ୍ସା ପଦ୍ଧତିକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ ବୋଲି ସେ କହିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଏହାର ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀ ରେଡ୍ଡି କହିଚନ୍ତି ।
କ୍ରମାଗତ ଭାବେରେ କୌଣସି ଅଂଚଳରେ ଯଦି ୨୮ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସଂକ୍ରମିତ ହେବାର ନଜିର ନଆସେ ତେବେ ସେହି ଅଂଚଳରେ କରୋନାର ଚେନ ନଷ୍ଟ ହୋଇଥିବା ଧରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।