ବ୍ୟାପକ ହେବ କରୋନା ପରୀକ୍ଷା

ଭୁବନେଶ୍ୱର: କରୋନାକୁ ମୁକାବିଲା ପାଇଁ ପରୀକ୍ଷା ଜରୁରୀ । ଏଣୁ ରାଜ୍ୟସରକାର ଅଧିକରୁ ଅଧିକ ବ୍ୟକ୍ତିଙ୍କର ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା କରାଯିବ । ସେହିପରି ସାଧାରଣ ଲୋକଙ୍କୁ ଏହି ଲକ୍ ଡାଉନ ସମୟରେ ଜରୁରୀକାଳୀନ ସାମଗ୍ରୀ ଯୋଗାଉଥିବା ଦୋକାନୀ ମାନଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯିବ । ଏହି କ୍ରମରେ ଔଷଧ ଦୋକାନୀ, ତେଜରାତୀ ଦୋକାନୀ, କ୍ଷୀର ଦୋକାନୀ ମାନଙ୍କର ପରୀକ୍ଷା କରାଯିବ । ଯଦି କୌଣସି ବ୍ୟକ୍ତି ଏହି ସମୟରେ ସ୍ୱେଚ୍ଛାକୃତ ଭାବେ ଚାହାନ୍ତି ତେବେ ତାଙ୍କର ମଧ୍ୟ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଓ ପରିମଳ ବିଭାଗର ସମସ୍ତ କର୍ମଚାରୀଙ୍କର ମଧ୍ୟ ପରୀକ୍ଷା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟକ୍ତି ବିଶେଷଙ୍କର କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟ କଥା ଚିନ୍ତା କରାଯିବ ।
ଆଗାମୀ ୧୦ ଦିନ ରାଜ୍ୟ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଥିବାରୁ ଏହି ପରୀକ୍ଷଣକୁ କଡାକଡି କରାଯିବ । ରାଜ୍ୟରେ ଦୈନିକ ୧୧ଶହରୁ ୧୨ଶହ ନମୁନା ପରୀକ୍ଷା ହୋଇପାରୁଥିବା ବେଳେ ଆଗକୁ ଏହାକୁ ଆହୁରି ବୃଦ୍ଧି କରାଯିବାର ଯୋଜନା ମଧ୍ୟ ରହିଛି । କରୋନା ମୁକାବିଲା ପାଇଁ ଅଧିକରୁ ଅଧିକ ନମୁନା ପରୀକ୍ଷାର ଆବଶ୍ୟକତା ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *