କରୋନା: ଜଣେ ଚିହ୍ନଟ, ତିନି ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ୬୧ନମ୍ବର ଆକ୍ରାନ୍ତ ଜଣକ ବାଲେଶ୍ୱରର ଏବଂ ତାଙ୍କ ବୟସ ୫୮ବର୍ଷ ।
ଏହାସହ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଉ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୨୪ଜଣ କରୋନା ଆକ୍ରାନ୍ତ ଥିବା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ବତ୍ତର୍ମାନ ୩୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଦୀର୍ଘ ତିନି ଦିନ ଧରି ରାଜ୍ୟରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାଲେଶ୍ୱର ଅଂଚଳର ହୋଇଥିବାରୁ କରୋନାରେ ବାଲେଶ୍ୱର ଜିଲ୍ଲା ସାମିଲ ହୋଇଯାଇଛି । ଆକ୍ରାନ୍ତଙ୍କର ଗସ୍ତବିବରଣୀ ବାହାର କରିବାରେ ପ୍ରଶାସନ ତାର ଉଦ୍ୟମ ଆରମ୍ଭ କରିଛି । ଏହା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହାକୁ ମଧ୍ୟ ଚିହ୍ନଟ କରାଯାଉଛି ।