ବଢ଼ିଲା ଚିନ୍ତା, ପୁଣି ଯାଜପୁରରୁ ୧୪ଜଣ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରୁ ପୁଣି ୧୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବାହ୍ନରେ ଓ ଅପରାହ୍ନକୁ ମିଶାଇ ଗୋଟିଏ ଦିନରେ ମୋଟ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମଗ୍ର ଯାଜପୁରବାସୀଙ୍କୁ ଆତଙ୍କିତ କରିଦେଇଛି ।

ଏହି ନୂତନ ଚିହ୍ନଟଙ୍କ ଫଳରେ ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ନୂତନ ଭାବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଦଶରଥପୁର ବ୍ଲକ ଅନ୍ତର୍ଗତ କଟିକଟା କଣ୍ଟେନମେଣ୍ଟ ଜୋନର ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କ ମାନେ କୋଲକତା ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବୋଲି ସୂଚନା ଦିଆଯାଇଛି । ୩ ବର୍ଷର ଦୁଇ ଶିଶୁ ରହିଥିବା ବେଳେ ୮୫ ବର୍ଷ ବୟସ୍କ ଜଣେ ବୃଦ୍ଧ ମଧ୍ୟ ରହିଛନ୍ତି । ଅଦ୍ୟାବଧି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ତାଙ୍କର ବୟସ ସର୍ବାଧିକ ବୋଲି କୁହାଯାଉଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ମହିଳା ରହିଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଏହି ଆକ୍ରାନ୍ତଙ୍କ ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଭୁବନେଶ୍ୱରରୁ ୪୭ଜଣ ଆକ୍ରାନ୍ତ ରହିଥିବା ବେଳେ କେବଳ ଯାଜପୁରରୁ ୩୬ଜଣ ଆକ୍ରାନ୍ତ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *