ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଠାରୁ ବଳିଗଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର: ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ହେଲେ ଆଜି ଦିନଟି ରାଜ୍ୟ ପାଇଁ ଶୁଭପ୍ରଦ ହୋଇଛି । ରାଜ୍ୟରେ ଆଜି ଦିନରେ ୧୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୪୯ଜଣ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରରେ ଆଜି ସର୍ବାଧିକ ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୫୭ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଥିବା ବେଳେ ୨୨୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଦ୍ୟାବଧି ରାଜ୍ୟରେ ୯୫୭ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଓଡ଼ିଶାରେ କିଲର କରୋନା ୯ଜଣଙ୍କର ଜୀବନ ନେଇଛି । ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ ହୋଇଥିବା ବେଳେ ୪୯୮ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୭ଜଣ ଚିକିତ୍ସିତ ହେଉଛନ୍ତି । ଏଠାରେ କରୋନା ଯୋଗୁ ୪ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।
ଅନୁରୂପ ଭାବେ ଯାଜପୁରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬ ହୋଇଥିବା ବେଳେ ୨୮୭ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ଜଣ ଏବେ ବି ଚିକିତ୍ସିତ ଅଛନ୍ତି । ଖୋର୍ଦ୍ଧାରେ ୨୯୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୩ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ଜଣ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟର ୧୧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ନୟାଗଡ଼ ଓ ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେର ନିକଟତର ହୋଇଛି । ଇତି ମଧ୍ୟରେ ନବରଙ୍ଗପୁରର ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ଫଳରେ ନବରଙ୍ଗପୁର ଜିଲ୍ଲାକୁ କରୋନା ମୁକ୍ତ ମଧ୍ୟ ଘୋଷଣା କରାଯାଇଛି ।