୬ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଞ୍ଜାମରୁ ୨୫୨
ଭୁବନେଶ୍ୱର: କରୋନା ଆକ୍ରାନ୍ତରେ ସର୍ବଭାରତୀୟ ସ୍ତରରେ ଗୋଟିଏ ସ୍ଥାନ ଉପରକୁ ଉଠିଛି ଓଡ଼ିଶା । ପୂର୍ବରୁ କରୋନାରେ ୧୭ତମ ସ୍ଥାନରେ ଓଡ଼ିଶା ରହିଥିବା ବେଳେ ଏବେ ୧୬ ତମ ସ୍ଥାନକୁ ଯାଇଛି । ଏପରିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଓଡ଼ିଶା କେରଳ ପରି ରାଜ୍ୟକୁ ମଧ୍ୟ ଟପିଯାଇଛି ।
ଆଜି ପୂର୍ବାହ୍ନରେ ପୁଣି ୭୩ଜଣ କରୋନା ରୋଗୀ ଚିହ୍ନଟ ହେବା ଫଳରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ହୋଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ଜଣ କେବଳ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଯାଜପୁରର ୧୭ଜଣ, ଭଦ୍ରକର ୯ଜଣ, ଖୋର୍ଦ୍ଧାର ୩ଜଣ ଓ ସୁନ୍ଦରଗଡ଼ର ୨ଜଣ ରହିଛନ୍ତି ।
ଗଞ୍ଜାମର ଚିହ୍ନଟ ଆକ୍ରାନ୍ତ ମାନେ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨କୁ ବୃଦ୍ଧି ପାଇଛି ।
ସେହିପରି ଯାଜପୁରର ଚିହ୍ନଟ ବ୍ୟକ୍ତିମାନେ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଭଦ୍ରକର ୫ଜଣ ସୁରତ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ଜଣ ସୁରତ ଫେରନ୍ତା ବୋଲି କୁହାଯାଇଛି । ଚିହ୍ନଟ ବ୍ୟକ୍ତିମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ମଧ୍ୟ କୁହାଯାଇଛି । ରାଜ୍ୟରେ ବର୍ତ୍ତମାନ ୪୬୫ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୪୩ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।