ଆସୁଛି ବାତ୍ୟା ‘ଆମ୍ଫାନ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି । ଏହା ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେଇ ୧୮ ତାରିଖ ବେଳକୁ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଛି ।

ଏବେ ଏହା ପାରାଦୀପର ଦକ୍ଷିଣକୁ ୧୦୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ବର୍ତ୍ତମାନ ୫ କିମି ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ବାତ୍ୟାଟି ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗ ଆଡ଼କୁ ମୁହାଁଇବ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ଏହା କେଉଁଠାରେ ସ୍ଥଳ ଭାଗ ଛୁଇଁବ ସେ ସମ୍ପର୍କରେ ଯଦିଓ ଆଇଏମଡି ପକ୍ଷରୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରାଯାଇନାହିଁ, ତେବେ ଏହା ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡ଼ିଶା ପାଖାପାଖିରେ ଅଞ୍ଚଳରେ ୨୦ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଯଦି ଏହା ହୁଏ ତାହେଲେ ଉତ୍ତର ଉପକୂଳ ଓଡ଼ିଶାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିପାରେ । ଅବଶ୍ୟ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲା ସମେତ ୧୨ଟି ଜିଲ୍ଲାରେ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହାର ଗତିପଥରୁ ଜଣାପଡ଼ୁଛି ଯେ ବାତ୍ୟାଟି ପଶ୍ଚିମବଙ୍ଗ ଉପକଳୂ ଓ ଉତ୍ତର ଓଡ଼ିଶାରେ ପ୍ରଭାବ ପକାଇପାରେ । ଫଳରେ ୧୮ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇ ୧୯ ତାରିଖରୁ ଜଗତସିଂହପୁରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଥିବା ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ୧୯ ତାରିଖ ସନ୍ଧ୍ୟାପରଠାରୁ ଏହି ସବୁ ଅଞ୍ଚଳରେ ପବନର ବେଗ ମଧ୍ୟ ବୃଦ୍ଧି ପାଇ ୭୫-୮୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ । ସେହିପରି ଯେତେବେଳେ ଏହି ବାତ୍ୟାଟି ଉପକୂଳ ଅତିକ୍ରମ କରିବ ସେହି ସମୟରେ ପବନର ବେଗ ପ୍ରାୟ ୧୫୦-୧୬୦ କିମି ପର୍ଯ୍ୟନ୍ତ ରହିପାରେ । ଅନ୍ୟପକ୍ଷରେ ଆମ୍ଫାନ ଗତ ବର୍ଷ ହୋଇଥିବା ବାତ୍ୟା ଫନୀଠାରୁ ଛୋଟ୍ ଓ ବୁଲବୁଲ୍ ଠାରୁ ବଡ଼ ରହିପାରେ ବୋଲି ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆକଳନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *