ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କଲା ଆମ୍ଫାନ୍

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମବଙ୍ଗର ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ଆମ୍ଫାନ୍ । ଦୀର୍ଘ ୨ରୁ ୩ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟା ଆମ୍ଫାନ୍ ଏହି ସମୟରେ ଘଣ୍ଟାକୁ ୨୯ କିଲୋମିଟର ବେଗରେ ଗତିକରୁଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୬୦ରୁ ୧୭୦ କିଲୋମିଟର ରହିଥିବା ସୂଚନା ଦିଆଯାଇଛି । ଆମ୍ଫାନ୍ ପଶ୍ଚିବବଙ୍ଗର ଦୀଘା ଓ ବଙ୍ଗଳାଦେଶର ହାତିଆ ଦୀପ ମଝିରେ ଅତିକ୍ରମ କରୁଛି ।

ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶରେ ବାତ୍ୟା ତାର ତାଣ୍ଡବ ରଚିବା ଜାରି ରଖିଥିବା ସୂଚନା ଦିଆଯାଇଛି । ଆମ୍ଫାନ୍ ଓଡ଼ିଶା ଅତିକ୍ରମ କରିବା ସମୟରେ ପାରାଦ୍ବୀପରେ ପବନର ବେଗ ସର୍ବାଧିକ ୧୦୬ କିଲୋମିଟର ରହିଥିବା ବେଳେ ବାଲେଶ୍ବରରେ ପବନର ବେଗ ୯୧ ଓ ଭଦ୍ରକରେ ୭୪ ରହିଥିଲା । ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଥିଲା । ଏପରିକି ୨୦ଫୁଟ ଉଚ୍ଚର ଜୁଆର ମଧ୍ୟ ଆସିଥିଲା । ଆସନ୍ତା କାଲିଠୁ ଓଡ଼ିଶାରେ ବର୍ଷା କମିବ, କିଛି ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୦ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୯ଟି ଟିମ୍ ନିୟୋଜିତ ଥିବା ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । କେବଳ କୋଲକାତାରେ ଦୁଇଟି ଟିମ୍ ରହିଥିବା ସୂଚନା ଦିଆଯାଇଛି । ରାସ୍ତା ଅବରୋଧ ହଟାଇବା ପାଇଁ ପର୍ଯ୍ୟାପ୍ତ ଗଛକଟା ମେସିନ ମଧ୍ୟ ଉପଲବ୍ଧ କରାଯାଇଛି । ବାଲେଶ୍ୱରରେ ୬ଟି, ଭଦ୍ରକରେ ୪ଟି, କେନ୍ଦ୍ରାପଡାରେ ୩ଟି ଟିମ ନିୟୋଜିତ ରହିଥିବା କୁହାଯାଇଛି । ବାତ୍ୟା ପାଇଁ ପଶ୍ଚିମବଙ୍ଗର ୫ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଥିବା ବେଳେ ଓଡ଼ିଶାର ୧ଲକ୍ଷ ୫୮ହଜାର ୬୪୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *