ରାଜଧାନୀ ରାସ୍ତାରେ ଗଡ଼ିବ ବିନା ଏସି ସିଟିବସ୍
ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ସ୍ୱାଭାବିକ ଭାବେ ଆସନ୍ତା କାଲିଠାରୁ ମୋ’ବସ୍ ଚଳାଚଳ କରିବ । ଏ ନେଇ କ୍ରୁଟ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ସାତଟି ରୁଟରେ ଏହି ସିଟିବସ୍ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ।
ଏୟାରପୋର୍ଟ ଠାରୁ କଟକ ସିଡିଏ, ନନ୍ଦନବିହାର ଠାରୁ ଲିଙ୍ଗିପୁର, ମାଷ୍ଟରକାଣ୍ଟିନ ଠାରୁ କଟକ ସିଡିଏ, ମାଷ୍ଟରକାଣ୍ଟିନ ଠାରୁ ଖୋର୍ଦ୍ଧା, ମାଷ୍ଟରକାଣ୍ଟିନ ଠାରୁ ସମ୍ ହସ୍ପିଟାଲ, ଡୁମୁଡୁମା ଠାରୁ ମଞ୍ଚେଶ୍ୱର ଓ ମାଷ୍ଟରକାଣ୍ଟିନ ଠାରୁ ଏମ୍ସ ପର୍ଯ୍ୟନ୍ତ ଏହି ମୋ’ ବସ ସେବା ଯୋଗାଇବ ।
ବିଶେଷ କରି କେବଳ ମୁହଁରେ ମାସ୍କ ପିନ୍ଧିଥିବା ବ୍ୟକ୍ତିମାନଙ୍କୁ ଏହି ବସରେ ଯାତ୍ରା କରିବାକୁ ଦିଆଯିବ । ବସରେ କୌଣସି ବ୍ୟକ୍ତି ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଟିକଟର ସଠିକ ମୂଲ୍ୟ ଖୁଚୁରା ଭାବେ ଦେବା ପାଇଁ ମଧ୍ୟ ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଏହି ସେବା ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁ ରହିବ । ବସ୍ ଗୁଡିକୁ ପ୍ରତିଦିନ ସାନିଟାଇଜ୍ କରାଯିବ । ବର୍ତ୍ତମାନ ପରିସ୍ଥିତିରେ ଡିଜିଟାଲ୍ ପେମେଣ୍ଟର ସୁବିଧା ନଥିବାରୁ କ୍ୟାଶ୍ ନିଆଯିବ । ମାତ୍ର ଆଗାମୀ ଦିନରେ ଡିଜିଟାଲ୍ ପେମେଣ୍ଟର ବ୍ୟବସ୍ଥା କରାଯାଉଥିବା କ୍ରୁଟ ପକ୍ଷରୁ କୁହାଯାଇଛି ।
ସେହିପରି ଆଗାମୀ ଦିନରେ ଅଧିକ ସଂଖ୍ୟାର ବସ୍ ଚଳାଚଳ ସହ ଅଧିକ ରୁଟରେ ବସ ଚଳାଚଳ ପାଇଁ ମଧ୍ୟ ଯୋଜନା କରାଯାଉଥିବା କୁହାଯାଇଛି । ପୂର୍ବରୁ କିଛି ସ୍ୱତନ୍ତ୍ର ବସ୍ ଚଳାଚଳ କରୁଥିଲେ ମଧ୍ୟ ବିଧିବଦ୍ଧଭାବେ ମୋ’ ବସ୍ ଚଳାଚଳ ଆରମ୍ଭ କରିନଥିଲା । ଦୀର୍ଘ ଦୁଇ ମାସ ପରେ ଏହି ସେବା ଆରମ୍ଭ ହେଉଥିବାରୁ ଯାତ୍ରୀମାନଙ୍କର ସୁବିଧା ହେବ । ଅନ୍ୟପକ୍ଷରେ ଯାତ୍ରୀମାନେ ସୋସିଆଲ ଡିଷ୍ଟାସିଂ ଓ କରୋନା ଗାଇଡ ଲାଇନ୍ ମାନିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।