୭୯ ନୂଆ ପଜିଟିଭ୍, ଦେଢ଼ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ପୁଣି ୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୧୪ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଗଞ୍ଜାମରୁ ୫ଜଣ, ଯାଜପୁରରୁ ୨ଜଣ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱରରୁ ୪ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୬ଜଣ, ନୟାଗଡ଼ରୁ ୩ଜଣ, କେନ୍ଦୁଝରରୁ ୮ଜଣ, ସୋନପୁର, ଝାରସୁଗୁଡା ଓ ଅନଗୁଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ୭ଜଣ ଓ ଢ଼େଙ୍କାନାଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତି ମାନଙ୍କ ମଧ୍ୟରୁ ୭୧ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ବର୍ତ୍ତମାନ ମୋଟ ୧୫୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮୬୧ଜଣ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି । କଟକ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଥିବା ବେଳେ ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ହୋଇଛି ।
ଆଜି ନୂତନ ଭାବେ ସୋନପୁର ଜିଲ୍ଲାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଢ଼େଙ୍କାନାଳର ଚିହ୍ନଟ ୩ଜଣ ଆକ୍ରାନ୍ତ କାମାକ୍ଷାନଗର ଅଂଚଳର ବୋଲି ଜଣାପଡିଛି । ଫଳରେ ଢେଙ୍କାନାଳ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ କାମାକ୍ଷାନଗର ଏନଏସିର ଜଣେ, ଅଁଳାବେରେଣୀ ଅଞ୍ଚଳର ଦୁଇ ଜଣ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ମହାବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ଓ ଅନ୍ୟ ଦୁଇ ଜଣ ବଡ଼ସୁଆଁଳ ସଙ୍ଘରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ହାଇଦ୍ରାବାଦରୁ ୨ଜଣ ଓ ମହାରାଷ୍ଟ୍ରରୁ ଜଣେ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ ବୋଲି କୁହାଯାଇଛି ।