ସୁସ୍ଥ ହେଲେ ଆଉ ୮୪, ଗଞ୍ଜାମରୁ ୨୪

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଫଳରେ ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ରୋଗୀଙ୍କ ସଂଖ୍ୟା ୭୩୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ରହିଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୪ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୧୮ଜଣ, ବାଲେଶ୍ୱରରୁ ୧୧ଜଣ, କଟକରୁ ୭ଜଣ, ଭଦ୍ରକରୁ ୬ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ଖୋର୍ଦ୍ଧା ଓ ପୁରୀରୁ ୫ଜଣ ଲେଖାଏଁ, ନୟାଗଡ଼ ଓ ମୟୁରଭଞ୍ଜରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମର ମୋଟ ୩୫୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୮୩ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଯାଜପୁରରୁ ୨୪୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ଜଣ ସୁସ୍ଥ ହୋଇଥିବା ବେଳେ ୧୨୧ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ବାଲେଶ୍ୱରର ୧୩୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨ଜଣ ସୁସ୍ଥ ହୋଇଥିବା ବେଳେ ୩୫ଜଣ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟର ମୋଟ ୧୫୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭୭ଜଣ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *