୧୭୮: ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ସହ ତାଳ ଦେଇ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୭୮ଜଣ, ଯାହା ସର୍ବାଧିକ ସଂଖ୍ୟାର ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦୀର୍ଘ ଦିନ ଧରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଢ଼େର ଅଧିକ ରହିଥିଲେ ମଧ୍ୟ ଏତେ ସଂଖ୍ୟାରେ ରୋଗୀ ସୁସ୍ଥ ହୋଇଥିବା ଲକ୍ଷ୍ୟ କରାଯାଇନଥିଲା । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮୯୪ରେ ପହଞ୍ଚିଛି । ଏହା ରେକର୍ଡ ସଂଖ୍ୟକ ସୁସ୍ଥ କେବଳ କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ହୋଇପାରିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୯ଜଣ ରହିଥିବା ବେଳେ ଗଜପତିରୁ ୨୩, ନୂଆପଡ଼ାରୁ ୨୨, ଭଦ୍ରକରୁ ୧୭, ନୟାଗଡ଼ରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ଢ଼େଙ୍କାନାଳରୁ ୯, କନ୍ଧମାଳରୁ ୯, ସୁନ୍ଦରଗଡ଼ରୁ ୬, ବାଲେଶ୍ୱରରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।