ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲର ବିରଳ ରେକର୍ଡ
ଭୁବନେଶ୍ୱର , ୧୭ା୭: ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ କ୍ୟାପିଟାଲ ହସପିଟାଲରେ ଚକ୍ଷୁ ବିଶେଷଜ୍ଞ ଡାଃ ଅଶ୍ୱନୀ ମେହେର୍ଦ୍ଦା ଓ ତାଙ୍କ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି ।
ଶ୍ରୀ ମିଶ୍ରଙ୍କ ଦୁଇଟି ଯାକ ଆଖିରେ ମୋତିଆ ବିନ୍ଦୁ ହେବାଦ୍ୱାରା ତାଙ୍କୁ ଠିକ୍ ଦେଖାଯାଉ ନଥିଲା । ପ୍ରାୟ ଏକ ବର୍ଷ ପୂର୍ବେ ସେ କ୍ୟାପିଟାଲ ହସପିଟାଲକୁ ଆସି ଚକ୍ଷୁ ବିଭାଗରେ ଦେଖାଇଥିଲେ । କିନ୍ତୁ ତାଙ୍କ ପିଠିରେ ସମସ୍ୟା ଏବଂ ଅତ୍ୟଧିକ ବୟସ ଯୋଗୁ ସେତେବେଳେ ତାଙ୍କୁ ଡାକ୍ତରଖାନା ତରଫରୁ ଅପରେସନ ନକରି ଫେରାଇ ଦିଆଯାଇଥିଲା ।
୧୯୧୭ ମସିହା ଅପ୍ରେଲ ମାସରେ ଜନ୍ମିତ ଜୟକୃଷ୍ଣଙ୍କ ପିଠିରେ କୁଜ ଥିବାରୁ ସେ ଖଟିଆରେ ସିଧା ହେଇ ଶୋଇପାରୁ ନାହାଁନ୍ତି । ବୟସାଧିକ କାରଣରୁ ଭଲଭାବେ ଶୁଣିପାରୁ ନାହାଁନ୍ତି । ଆଖି ଅପରେସନ ପାଇିଁ ସିଧାହୋଇ ଶୋଇବା ଏକାନ୍ତ ଜରୁରୀ ଥିବାରୁ ଏ ଭଳି ଅପରେସନ ଡାକ୍ତରମାନଙ୍କ ପାଇଁ ଏକ ଚାଲେଞ୍ଜ ଥିଲା ।
ଆଖିକୁ ଆଦୌ ଦେଖା ନଯିବା ପରେ ଜୟକୃଷ୍ଣଙ୍କୁ ପୁଣିଥରେ ତାଙ୍କ ପୁଅ କ୍ୟାପିଟାଲ ହସପିଟାଲକୁ ଆଣିଥିଲେ । ଏଥର କିନ୍ତୁ ଆଖି ପରୀକ୍ଷା ପରେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ପାଇଁ ଡାଃ ମେହେର୍ଦ୍ଦା ନିଷ୍ପତି ନେଇଥିଲେ । ଚିତ୍ ହେଇ ଶୋଇବା ସମସ୍ୟା ଥିବାରୁ ଏହି ଅପରେସନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିବା ବେଳେ ଡାଃ ମେହେର୍ଦ୍ଦା ଓ ତାଙ୍କ ଟିମ୍ କିନ୍ତୁ ପଛଘୁଂଚା ଦେଇ ନଥିଲେ । ଅପରେସନ ବେଳେ ୩-୪ ଜଣ ସହାୟକ ଜୟକୃଷ୍ଣଙ୍କୁ ଧରି ଉପର ମୁହାଁ ଶୁଆଇବାକୁ ପଡିଥିଲା ବୋଲି ଡାଃ ମେହେର୍ଦ୍ଦା କହିଛନ୍ତି । ଏହି ଜଟିଳ ଅପରେସନକୁ ଡାଃ ମେହେର୍ଦ୍ଦା ଓ ତାଙ୍କ ଟିମ୍ ମାତ୍ର ୫ ମିନିଟ ମଧ୍ୟରେ ସାରିଥିଲେ । ପ୍ରଥମେ ତାଙ୍କ ଡାହାଣ ଅଖିରେ ଅପରେସନ କରାଯାଇଛି ଓ ସେ ଏବେ ଭଲଭାବେ ଦେଖିପାରୁଛନ୍ତି । ଆଉ ୧୫ ଦିନ ପରେ ତାଙ୍କର ବାମ ଆଖିରେ ମୋତିଆ ବିନ୍ଦୁ ଅପରେସନ କରାଯିବ ବୋଲି ଡାଃ ମେହେର୍ଦ୍ଦା ସୂଚନା ଦେଇଛନ୍ତି । ବହୁ ପୂର୍ବରୁ ସରକାରୀ ଚିକିତ୍ସାଳୟରେ ଜଣେ ଅତି ବୟସ୍କ ଲୋକଙ୍କର ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ଅଭାବରୁ ପ୍ରକୃତ ବୟସ ଜଣାପଡୁନଥିଲା । ହେଲେ ଜୟକୃଷ୍ଣଙ୍କ ଭୋଟର ପରିଚୟ ପତ୍ର ଥିବାରୁ ତାଙ୍କର ବୟସ ଏବେ ୧୦୧ ବର୍ଷରୁ ଅଧିକ ବୋଲି ଜଣାପଡିଛି । ଏଭଳି ଅପରେସନ କ୍ୟାପିଟାଲ ହସପିଟାଲ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଂଟ ହୋଇଛି ।