ଖୋଲିବନି ସ୍କୁଲ, କର୍ଫ୍ୟୁରେ କୋହଳ
୧୦ ଜିଲ୍ଲାରେ ଜାରି ରହିବ ସପ୍ତାହାନ୍ତ ସଟ୍ ଡାଉନ୍
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ଟପିଯାଇଛି । ଏଣୁ ଅନଲକ୍ ୧ ଶେଷ ହୋଇଥିଲେ ମଧ୍ୟ ସ୍କୁଲ କଲେଜ ଖୋଲିବା ଉପରେ ରାଜ୍ୟସରକାର କଟକଣା ହଟାଇ ପାରି ନାହାନ୍ତି । ଅନଲକ୍ ୨ ଆରମ୍ଭ ହୋଇଥିଲେ ମଧ୍ୟ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ରସରକାର ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ କରିଥିଲେ ମଧ୍ୟ ରାଜ୍ୟସରକାର ଏହାକୁ ରାତି ୯ଟାରୁ ଲାଗୁ କରିଛନ୍ତି । ୧୦ଟି ଜୋନ୍ ୧ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ଜାରି ରଖିଛନ୍ତି ।
ଆରମ୍ଭ ହୋଇଛି ଅନଲକ୍ ୨ । ଏଥିରେ ଅଧିକାଂଶ କଟକଣାକୁ ବଳବତ୍ତର ରଖାଯାଇଥିବାବେଳେ ରାତ୍ରୀ କର୍ଫୁ୍ରେ ସାମାନ୍ୟ କୋହଳ କରାଯାଇଛି । ନୂଆ ଗାଇଡ଼ଲାଇନ୍ ସଂକ୍ରାନ୍ତରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବାରୁ କେନ୍ଦ୍ର ସରକାର କଟକଣା ଅବଧିକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବା ସହ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ବନ୍ଦ ରହିବ । ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ବାର୍ ପୂର୍ବଭଳି ବନ୍ଦ ରହିବ । ସାମାଜିକ ଓ ଧାର୍ମିକ ସମାବେଶ ଉପରେ କଟକଣା ଜାରି ରହିବ । ଜୁଲାଇ ୩୧ ଯାଏଁ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି । ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ହୋଟେଲ ରେଷ୍ଟୁରାଣ୍ଟ ଖୋଲା ରହିଲେ ବି ସେଠାରୁ କେବଳ ପାର୍ସଲ ନେଇ ହେବ । ତେବେ ରାତି କର୍ଫୁ୍ରେ କୋହଳ କରାଯାଇଛି । ଏବେ ଏହା ରାତି ୯ଟାରୁ ସକାଳ ୫ଟା ଯାଏଁ ଜାରି ରହିବ ।
ସମସ୍ତ ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ । ତେବେ ୫୦ରୁ ଅଧିକ କରୋନା ଆକ୍ଟିଭ୍ କେସ୍ ଥିବା ଜିଲ୍ଲାଗୁଡ଼ିକୁ ଜୋନ୍-୧ ଭାବେ ଚିହ୍ନଟ କରାଯାଇଛି । ଜୋନ୍-୧ରେ ଥିବା ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା । ଏହି ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ସଟଡାଉନ୍ ଶନିବାର ଓ ରବିବାର ପାଳନ କରାଯିବ । ସଟଡାଉନ୍ ବେଳେ ଅନୁମତି ନେଇ ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାର ଆଦି କାର୍ଯ୍ୟ କରିହେବ । ଏଠାରେ ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡ଼ି ଚାଳଚଳ ବନ୍ଦ କରିପାରିବେ । ଜୋନ୍-୧ରେ ଥିବା ୧୦ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକ ଜୋନ୍-୨ରେ ରହିବେ ।
ମୁଖ୍ୟ ସଚିବ କହିଛନ୍ତି, ଅଦୃଶ୍ୟ ଶତ୍ରୁ ସହ ସାଢ଼େ ୩ ମାସ ହେଲାଣି ଲଢ଼େଇ ଜାରି ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି । ଓଡ଼ିଶାରେ ସର୍ବାଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ଓଡ଼ିଶାରେ କରୋନା ମୃତ୍ୟୁହାର ୦.୩୫ ପ୍ରତିଶତ ରହିଛି । ଯେଉଁଥିପାଇଁ ଆମକୁ ବାହାରେ ପ୍ରଶଂସା କରାଯାଉଛି । ଏହା କେବଳ ଆମର ଆଗୁଆ ପ୍ରସ୍ତୁତି ଯୋଗୁଁ ସମ୍ଭବ ହୋଇପାରୁଛି । ଗ୍ରାମାଞ୍ଚଳରେ ପ୍ରତିଷ୍ଠା ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ଭଲ କାମ କରିଛନ୍ତି । ଫଳରେ ରାଜ୍ୟରେ କରୋନା ଉପରେ ନିୟନ୍ତ୍ରଣ ରଖାଯାଇପାରିଛି । ଏହା ମଧ୍ୟରେ ରାଜ୍ୟକୁ ୮ଲକ୍ଷରୁ ଅଧିକ ପ୍ରବାସୀ ଫେରିସାରିଛନ୍ତି । ମାସ୍କ ଓ ସାମାଜିକ ଦୂରତା ନିୟମ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ । ମାସ୍କ ଓ ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ । କରୋନା ମୁକାବିଲା ପାଇଁ ଓଡ଼ିଶାର ଗ୍ରାମ୍ୟ କଲ୍ୟାଣ ସମିତିକୁ ୫୦ କୋଟି ଟଙ୍କା ଦିଆଯାଇଛି । ରାଜ୍ୟରେ ୫୦ ହଜାର ଗ୍ରାମ ରହିଛି । ଘରକୁ ଘର ବୁଲି ମନିଟରିଂ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ସ୍ୱେଚ୍ଛାସେବୀ ରହିବେ । ପ୍ରତି ପଞ୍ଚାୟତର କୋଭିଡ୍ କେୟାର୍ ହୋମ୍ ହେବ । ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ ଓ ଆଇସୋଲେସନରେ ରହିବେ । କୋଭିଡ୍ କେୟାର୍ ହୋମ୍ ଦାୟିତ୍ୱରେ ସରପଞ୍ଚମାନେ ରହିବେ ।
ସେହିପରି ମାସ୍କ୍ ନପିନ୍ଧିଲେ ପୂର୍ବପରି ଜରିମାନା ଆଦାୟ କରାଯିବ । ସର୍ବସାଧାରଣରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଜୁଲାଇରେ ଧରପଗଡ଼ ଜୋରଦାର ହେବ । ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ହେବ । ଓଡ଼ିଶାକୁ ଆଉ ଅଧିକ ବିମାନ ଓ ରେଳ ନଆସିବାକୁ ବ୍ୟବସ୍ଥା କରାଯିବ ।
ସେହିପରି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।