୨୪ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର, ୧୯/୮: ରାଜ୍ୟରେ ବର୍ତ୍ତମାନ ଲଘୁଚାପ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନସଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଅନୁମାନ କରାଯାଇଛି ।
ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୩ ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସିଇସି ପକ୍ଷରୁ କୁହାଯାଇଛି ।
ବୁଧବାର ସକାଳେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଛତିଶଗଡ ଏବଂ ମଧ୍ୟ ଭାରତ ଆଡକୁ ଯାଇପାରେ ବୋଲି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।
ଏହାର ପ୍ରଭାବରେ ଗୁରୁବାର ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରପଡା, ପୁରୀ ଏବଂ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ମଧ୍ୟରେ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଏହା ଚତୁର୍ଥ ଲଘୁଚାପ ।
ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ନଦୀର କ୍ୟାଚମେଂଟ ଏରିଆରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ସୁଦ୍ଧା ମହାନଦୀର ଉପର କ୍ୟାଚମେଂଟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି ।