ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ରହୁଥିବାରୁ ଖୁବ୍ ଶୀଘ୍ର ରାଜଧାନୀରେ ଆଉ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ।
ସେ କହିଛନ୍ତି ଯେ, ଦୁଇଟି ଶ୍ମଶାନ ମଧ୍ୟରୁ ପଟିଆ ଅଂଚଳରେ ହେବାକୁ ଥିବା ଶ୍ମଶାନଟି ବାଷ୍ପ-ଭିତିକ ଏବଂ ଖଣ୍ଡଗିରି ଅଂଚଳରେ ହେବାକୁ ଥିବା ଶ୍ମଶାନଟି ବୈଦ୍ୟୁତିକ । ଦେଢ ମାସ ମଧ୍ୟରେ ଏହି ଦୁଇଟି ଶ୍ମଶାନର କାର୍ଯ୍ୟ ଶେଷ ହେବ ।
ବର୍ତମାନ କରୋନା କଟକଣା ଯୋଗୁଁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ କଟକଣା ରହିଛି । ଏଥିଯୋଗୁଁ ସତ୍ୟ ନଗର ଶ୍ମଶାନରେ କୋଭିଡ୍-୧୯ ଜନିତ ମୃତକମାନଙ୍କ ଶବ ସତ୍କାର କରାଯାଉଛି । ଦୈନିକ ପ୍ରାୟ ୨୫ ରୁ ଉର୍ଦ୍ଧ୍ୱ ଶବ ସତ୍କାର ହେଉଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବଡ଼ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଜୀବନଯାପନ କରୁଥିବା କଥା ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଅଂଚଳବାସୀ ଆଜି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।