ଦେଶର ଅଖଣ୍ଡତା ଓ ସୁରକ୍ଷା ଲାଗି ଆମେ ପ୍ରତିବଦ୍ଧ: ଶାହା
ନୂଆଦିଲ୍ଲୀ: ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ଜାରି ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦୀ ସରକାର ଦେଶର ଏକ ଏକ ଇଞ୍ଚ ଜମିକୁ ବଂଚାଇବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରତର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ । ସରକାର ଚୀନରେ ଲଦ୍ଦାଖ ସହିତ ଉତ୍ତେଜନା ହ୍ରାସ କରିବାକୁ ଯଥାସମ୍ଭବ ସୈନ୍ୟ ଓ କୁଟନୈତିକ ପଦକ୍ଷେପ ନେଉଛନ୍ତି ।
ଭାରତୀୟ କ୍ଷେତ୍ରରେ କ’ଣ ଚୀନ ପ୍ରବେଶ କରିଛି, ଏହି ପ୍ରଶ୍ନର ଉତ୍ତରରେ ଏକ ଘରୋଇ ଚ୍ୟାନେଲକୁ ଅମିତ ଶାହା କହିଛନ୍ତି ଆମେ ନିଜର ଏକ ଏକ ଇଞ୍ଚ ଭୂଭାଗକୁ ନେଇ ସତର୍କ ରହିଛୁ । ଆମର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ । ଆମ ପାଖରେ ସେନା ଓ ନେତୃତ୍ୱ ନେବାର ବଳ ଅଛି । ଆମେ ସୀମାକୁ ଏପର୍ଯ୍ୟନ୍ତ ସୁରକ୍ଷା ଦେଇପାରିଛୁ ଏବଂ କାହାରିକୁ ଜବରଦଖଲ କରିବାକୁ ଦେବୁନାହିଁ ।
ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସରକାର ଦେଶର ଅଖଣ୍ଡତା ଓ ସୁରକ୍ଷା ଲାଗି ପ୍ରତିବଦ୍ଧ । ବିହାର ବିଧାନସଭା ର୍ନିବାଚନ ନେଇ ଅମିତ ଶାହା କହିଛନ୍ତି, ଆଶା କରାଯାଉଛି ବହୁମତ ମିଳିବ । ସେ କହିଛନ୍ତି ର୍ନିବାଚନ ପରେ ନିତିଶ କୁମାର ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଲୋକ ଜନଶକ୍ତି ପାର୍ଟି ଅଲଗା ହେବା ନେଇ ଶାହା କହିଛନ୍ତି, ତାହା ସେମାନଙ୍କର ନିଷ୍ପତ୍ତି ଥିଲା । ଏଲଜେପି ଅଲଗା ହେବାରେ ଆମର ନିଷ୍ପତ୍ତି ନଥିଲା ।
ଅମିତ ଶାହା କହିଛନ୍ତି ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ର୍ନିବାଚନ ହେବ । ଏହି ର୍ନିବାଚନ ପରେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବ । ଏବେ ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଜଟିଳ ହୋଇପଡ଼ିଛି ବୋଲି ସେ କହିଛନ୍ତି ।