ବିଜେଡିରେ ଯୋଗଦେଲେ ସୁବାସ

ଭୁବନେଶ୍ୱର,୨୭/୩/୨୦୧୯: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଗତ ୨୫ ତାରିଖରେ ବିଜେପି ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ଯୋଗଦେବା ପରେ ଆଜି ଆଉ ଜଣେ ବିଜେପି ରାଜ୍ୟ ଉପ-ସଭାପତି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେ ହେଉଛନ୍ତି ବରଗଡ଼ର ଟାଣୁଆ ନେତା ତଥା ୨୦୧୪ ସାଧାରଣ ନିର୍ବାଚନରେ ବରଗଡ଼ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଥିବା ଶ୍ରୀ ସୁବାସ ଚୌହ୍ୱାନ । ସେ ତାଙ୍କର ଶହ ଶହ ସମର୍ଥକଙ୍କୁ ନେଇ ଆଜି ନବୀନ ନିବାସରେ ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ଚୌହ୍ୱାନଙ୍କ ସହ ସମସ୍ତ କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜୁ ଜନତା ଦଳରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଶ୍ରୀ ଚୌହ୍ୱାନ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ପଶ୍ଚିମ ଓଡ଼ିଶା ସହ ରାଜ୍ୟରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ବିଜୁ ଜନତା ଦଳରେ ଯୋଗଦେବା ଅବସରରେ ଶ୍ରୀ ଚୌହ୍ୱାନ କହିଥିଲେ ଯେ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ମଧ୍ୟ ମୁଁ ବିଜେପି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛି । ଏହାଭିତରେ ବହୁତ ପ୍ରଶ୍ନ ଉଠୁଛି ଯେ ମୁଁ କାହିଁକି ବିଜେପି ଛାଡ଼ିଲି? କାରଣ ଏଠାରେ ମୋତେ ଦୁଇଟି ଚରିତ୍ର ଦୃଶ୍ୟମାନ ହେଉଛି । ଗୋଟିଏ ହେଉଛି ଧର୍ମରାଜ ଯୁଧିଷ୍ଠିରଙ୍କର ତ ଆଉ ଗୋଟିଏ ହେଉଛି ଅହଂକାରୀ-ଦୁରାଚାରୀ ଦୁର୍ଯ୍ୟୋଧନର । ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମରାଜ ଯୁଧିଷ୍ଠିରଙ୍କ ରୂପରେ ଦେଖିବାକୁ ପାଇଲି ଏବଂ ତାଙ୍କ ପକ୍ଷ ନେବାକୁ ସ୍ଥିର କଲି । ଅପରପକ୍ଷରେ କୁରୁକ୍ଷେତ୍ରର ଯୁଦ୍ଧରେ ଦୁର୍ଯ୍ୟୋଧନର ଭୂମିକାରେ ଅବତୀର୍ଣ୍ଣ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅହଂକାର ଭାଙ୍ଗିବା ପାଇଁ ମୁଁ ଶାନ୍ତି ଓ ସରଳ ସ୍ଵଭାବର ନବୀନବାବୁଙ୍କ ସାଥୀରେ ରହି ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବି । ହଜାର ହଜାର କର୍ମୀ ଅହଂକାରୀ ଦୁର୍ଯ୍ୟୋଧନର ଅତ୍ୟାଚାରରେ ଜର୍ଜରିତ ହେଉଛନ୍ତି ଏବଂ ସେମାନଙ୍କୁ ରକ୍ଷା କରିବା ପାଇଁ ମୁଁ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛି । ଆଗାମୀ ନିର୍ବାଚନରେ ଯୁଧିଷ୍ଠିରଙ୍କ ପକ୍ଷର ବିଜୟ ଅବଶ୍ୟମ୍ଭାବୀ, ଏଥିରେ କୌଣସି ଦ୍ୱିମତ ନାହିଁ । ମୁଁ ଗରିବ ଘରୁ ଆସିଥିବା ଜଣେ ସାଧାରଣ ଲୋକଟିଏ, ମୋ ସ୍ୱାଭିମାନକୁ ନେଇ ବଞ୍ଚେ । ୩୦ ବର୍ଷ ହେଲା ମୁଁ କାର୍ଯ୍ୟ କରିଆସିଛି ଏବଂ ଆଜି ପର୍ଯ୍ୟନ୍ତ କାହାଠାରୁ ପାଇବା ପାଇଁ କିଛି ଆଶା ରଖିନାହିଁ ବୋଲି ଶ୍ରୀ ଚୌହ୍ୱାନ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *