ବିଜେପି ଛାଡି ବିଜେଡିରେ ଯୋଗଦେଲେ ସନ୍ତୋଷ ଖଟୁଆ
ଭୁବନେଶ୍ୱର, ୨୭/୩/୨୦୧୯: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେପିର ବରିଷ୍ଠ ନେତା ସନ୍ତୋଷ ଖଟୁଆ ଏବଂ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଜୋନ୍-୧ ସଭାପତି ସାଇକାନ୍ତ ପାଣିଗ୍ରାହୀ ନିଜ ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିସହ ବାଲେଶ୍ୱର ଜିଲ୍ଲା ୧୧ ନଂ ଜିଲ୍ଲା ପରିଷଦ ସଭ୍ୟା ଶୁଭଶ୍ରୀ ସେଠୀ, ୧୨ ନଂ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସିଂହ, ନୀଳଗିରି ବ୍ଲକ ଅଧ୍ୟକ୍ଷ ଜାନକୀ ସିଂହ, ସମିତି ସଭ୍ୟ କୃତିବାସ ବେହେରା, କମଳାକାନ୍ତ ରାଉତ, ଗଣେଶ୍ୱର ସିଂହ, ଗୋପୀନାଥ ସିଂହ, ସୁମତି ସିଂହ, କମଳାକାନ୍ତ ସିଂହ, ସରପଞ୍ଚ ମୀତାରାଣୀ ସିଂହ, ଚନ୍ଦ୍ରମୋହନ ସିଂହ, ମନୋରଞ୍ଜନ ନାୟକ, ଶକୁନ୍ତଳା ମଲିକ, ମାୟାଧର ମାଧେଇ, ସ୍ନିଗ୍ଧା ମାଧେଇ, ସୁରେନ୍ଦ୍ର ସିଂହ, ଔପଦା ଜୋନ୍-୧ ବିଜେପି ସଭାପତି କାର୍ତ୍ତିକେଶ୍ୱର ପରିଡ଼ା, ଉପ-ସଭାପତି ସଚ୍ଚିନ୍ଦ୍ର ଦାସ, ସାଧାରଣ ସଂପାଦକ ଶଙ୍କର୍ଷଣ ପଣ୍ଡା, ଜୋନ୍-୨ ସଭାପତି ମନୋରଞ୍ଜନ ମହାନ୍ତି, ଉପ-ସଭାପତି ଗୋପୀନାଥ ମହାପାତ୍ର, ନୀଳଗିରି ଜୋନ୍-୧୩ ସଭାପତି ବିଜୟ ଆଚାର୍ଯ୍ୟ, ଉପ-ସଭାପତି ପ୍ରଦୀପ ଦାସଙ୍କ ସହ ବହୁ ବିଜେପିର ପଦାଧିକାରୀ ବିଜେଡିରେ ଯୋଗ ଦେଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲା କଂଗ୍ରେସର ସମିତି ସଭ୍ୟ ହିମାଂଶୁ ଶେଖର ପୋଥାଳ, ବିଭୂତି ଭୂଷଣ ବେହେରା, ସରପଞ୍ଚ ରଶ୍ମିତା ସେଠୀ, ସନ୍ତୋଷ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଏହି ଅବସରରେ ବିଜେଡିରେ ଯୋଗ ଦେଇଥିବା ଶ୍ରୀ ଖଟୁଆ କହିଥିଲେ ଯେ ବିଜେପିରେ ଲୋକମାନଙ୍କୁ କାମ କରିବାର ଅଗ୍ରାଧିକାର ଦିଆଯାଏ ନାହିଁ । ଭାଷଣବାଜୀରେ ସରକାର ଚାଲେ ଏବଂ ଭାଷଣରେ ବିଜେପିର ନେତୃବୃନ୍ଦ ବିଶ୍ୱାସ କରନ୍ତି । ଏଭଳି କଥାକୁହା ନେତା ହେଲେ ଜିଲ୍ଲାର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । ତାଙ୍କର କଥା ଗୋଟିଏ ହେଲେ କାମ ଆଉ ଗୋଟିଏ ହୋଇଥାଏ । ମୁଖ୍ୟମନ୍ତ୍ରୀ ଲୋକଙ୍କ ଲାଗି ଯେତେ ଯୋଜନା ପ୍ରଣୟନ କରିଛନ୍ତି, ସେଥିରୁ କିଭଳି ନିମ୍ନରୁ ନିମ୍ନତର ଲୋକଟିଏ ଉପକୃତ ହୋଇପାରିବ ସେଥିପାଇଁ ମୁଁ କାର୍ଯ୍ୟ କରିବି ବୋଲି ଶ୍ରୀ ଖଟୁଆ କହିଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ରବୀନ୍ଦ୍ର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ସଂପାଦକ ବିଜୟ ନାୟକ, ସୁଷମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।