ଆପୋଲୋ ହସ୍ପିଟାଲ୍‌ସ୍ ପକ୍ଷରୁ କୋଭିଡ୍‌ ରେଡ୍ ବୁକ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମନ୍ୱିତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଆପୋଲୋ ହସ୍ପିଟାଲ୍‌ସ୍ ଗ୍ରୁପ୍ ପକ୍ଷରୁ ହସ୍ପିଟାଲ୍‌, ନର୍ସିଂ ହୋମ୍ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଶ୍ରେଷ୍ଠ ଗାଇଡ୍‌ଲାଇନ୍ ବିଷୟରେ ସୂଚନା ଥିବା କୋଭିଡ୍‌-୧୯ ରେଡ୍ ବୁକ୍‌କୁ ଉନ୍ମୋଚନ କରାଯାଇଛି । ମହାମାରୀ ସମୟରେ ନିଦାନ, ଚିକିତ୍ସା ଓ କୋଭିଡ୍ ଏବଂ ଅଣ କୋଭିଡ୍ ମାମଲାର ଯେଭଳି ଶୀଘ୍ର ଓ ସମୟୋପଯୋଗୀ ପରିଚାଳନା ହୋଇପାରିବ ତାହା ନିଶ୍ଚିତ କରିବା ଲାଗି ଏହି କୋଭିଡ୍‌-୧୯ ରେଡ୍ ବୁକ୍‌ରେ ପ୍ରମାଣ ଭିତ୍ତିକ ଶ୍ରେଷ୍ଠ ବ୍ୟବସ୍ଥା ଗାଇଡ୍‌ଲାଇନ୍ ରହିଛି । ଅଣ କ୍ଲିନିକାଲ୍ ପ୍ରକ୍ର୍ରିୟା, ନୀତି ଓ ପ୍ରୋଟୋକଲ୍ ସମ୍ପର୍କିତ ଗାଇଡ୍‌ଲାଇନ୍ ମଧ୍ୟ ଏଥିରେ ରହିଛି ଯାହା ଦକ୍ଷତାରେ ଉନ୍ନତି ଆଣିବ ଏବଂ ଏକ ଦୃଢ଼ କର୍ମ ପରିବେଶ ସୃଷ୍ଟି କରିବ । କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯେଉଁ ସ୍ଥିତି ସୃଷ୍ଟି କରିଛି ତାହାର ତ୍ୱରିତ ମୁକାବିଲା କରିବା ଦିଗରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଓ ମେଡିକାଲ୍ ଜଗତକୁ ଏହି ଗାଇଡ୍‌ଲାଇନ୍ ସଶକ୍ତ କରିବ ।

ସଙ୍ଗୀତା ରେଡ୍ଡି, ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା, ଆପୋଲୋ ହସ୍ପିଟାଲ୍‌ସ୍ ଗ୍ରୁପ୍ କହିଛନ୍ତି ଯେ, “ମହାମାରୀ ଏଭଳି ଏକ ପରିବେଶ ସୃଷ୍ଟି କରିଛି ଯେଉଁଠାରେ ଏହି ଭୂତାଣୁକୁ ଜାଣିବା ଓ ତାହାର ଦୂରୀକରଣର କାରକଗୁଡ଼ିକ ଦ୍ରୁତ ଗତିରେ ପରିବର୍ତନ ହେଉଛି । ଏଭଳି ଏକ ସ୍ଥିତିରେ ସଦ୍ୟତମ ଜ୍ଞାନ ଅନୁସାରେ ଶ୍ରେଷ୍ଠ ମାନର ଯତ୍ନ ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । କୋଭିଡ୍‌-୧୯ ପରିଚାଳନା କରିବା ଲାଗି ପ୍ରୋଟୋକଲ୍‌ର ଏକ ମାନକ ଏହି ରେଡ୍ ବୁକ୍ ରେ ରହିଛି ଯାହା କୋଭିଡ୍ ବିରୋଧରେ ଲଢ଼େଇରେ ଆମ ସମସ୍ତଙ୍କ ପାଇଁ ଉପଲବ୍ଧ ରହିବ । ଏହି ରେଡ୍ ବୁକ୍ ହେଉଛି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆପୋଲୋ ହସ୍ପିଟାଲ୍‌ର ରହିଥିବା ଦୀର୍ଘ ୩୮ରୁ ଅଧିକ ବର୍ଷର ବିଶେଷତାର ଫଳ ଯେଉଁଥିରେ ସାମିଲ୍ ରହିଛି ଆମର କୋଭିଡ୍‌-୧୯କୁ ସାମ୍ନାରେ ରହି ଲଢ଼େଇ କରିବାର ଅଭିଜ୍ଞତା ।’’

ଏହି ରେଡ୍ ବୁକ୍ ହେଉଛି ଆପୋଲୋ ହସ୍ପିଟାଲ୍‌ସ୍ ଗ୍ରୁପ୍ ପକ୍ଷରୁ ମହାମାରୀର ପ୍ରଥମ ପର୍ଯ୍ୟାୟରେ ଶୁଭାରମ୍ଭ କରାଯାଇଥିବା ବ୍ୟାପକ ରଣନୀତି ଭିତ୍ତିକ ପଦକ୍ଷେପ ପ୍ରୋଜେକ୍ଟ କବଚର ଏକ ଅଂଶ । ପ୍ରୋଜେକ୍ଟ କବଚରେ ସୂଚନା, ସ୍କ୍ରିନିଂ, ଅନୁଶୀଳନ, ଟେଷ୍ଟିଂର ସମସ୍ତ ଦିଗ, ଲକ୍ଷଣ ନଥିବା ରୋଗୀଙ୍କ କ୍ୱାରାଂଟିନ୍ ପାଇଁ ଭିତ୍ତିଭୂମି ଓ ସ୍ୱଳ୍ପ, ମଧ୍ୟମ ଏବଂ କଠିନ ମାମଲାଗୁଡ଼ିକର ଚିକିତ୍ସା ସୁବିଧା ଲାଗି ବ୍ୟବସ୍ଥା ଆଦି ରହିଛି । ହସ୍ପିଟାଲ୍‌, ସମ୍ପର୍କରେ ଥିବା ନର୍ସିଂ ହୋମ୍ ଏବଂ ରେଫରାଲ୍ ଡାକ୍ତରମାନଙ୍କ ମଧ୍ୟରେ ପ୍ରଯୁକ୍ତି ଜରିଆରେ ଯୋଗାଯୋଗ ଲାଗି ଏଥିରେ ବ୍ୟବସ୍ଥା ରହିଛି । ଆପୋଲୋ ହସ୍ପିଟାଲ୍‌ସ୍ ହାସଲ କରିଥିବା ଅଭିଜ୍ଞତା ମଧ୍ୟ ଏଥିରେ ରହିଛି ଯାହା ଜରିଆରେ ହସ୍ପିଟାଲ୍ ଓ ନର୍ସିଂ ହୋମ୍‌ଗୁଡ଼ିକ କୋଭିଡ୍‌-୧୯ ସ୍ଥିତିକୁ ଠିକ୍ ଭାବେ ପରିଚାଳନା କରିବା ଲାଗି ବ୍ୟବହାର କରିପାରିବେ । ଏହି ରେଡ୍ ବୁକ୍‌ରେ ବର୍ହି ବିଭାଗ ରୋଗୀଙ୍କ ସ୍କ୍ରିନିଂ, ଫିଭର୍ କ୍ଲିନିକ୍‌, ନମୁନା ସଂଗ୍ରହ କରିବା, ଅଣ କ୍ଲିନିକାଲ୍ ପରିଚାଳନା ପ୍ରୋଟୋକଲ୍‌, ସଂକ୍ରମଣକୁ ରୋକିବା ଏବଂ ନିୟନ୍ତ୍ରଣ, ପ୍ରକ୍ର୍ରିୟା ଜାରି ରଖିବା, ରୋଗୀଙ୍କ ଆଡ୍‌ମିସନ୍‌, ସଙ୍ଗରୋଧ ପ୍ରୋଟୋକଲ୍‌, ଷ୍ଟାଫ୍ ଓ ରୋଗୀମାନଙ୍କ ମାନସିକ ସ୍ଥିତି ବଜାୟ ରଖିବା ଲାଗି ଗାଇଡ୍‌ଲାଇନ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *