ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୩୬ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିବାବେଳେ ପ୍ୟାରେଡ଼କୁ ନୀରିକ୍ଷଣ କରିଥିଲେ ।
ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି ଯେ ରେଳବାଇ ସୁରକ୍ଷାବଳ ଯାତ୍ରୀ ମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ବିଶେଷ ଭାବେ ଧ୍ୟାନଦେବା ଦରକାର । ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର ନିଷ୍ଠାପର କର୍ତ୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ । ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରତି ଶ୍ରୀ ବିଦ୍ୟାଭୂଷଣ ଗୁରୁତ୍ୱାରୋପ କରିଥିଲେ । କୋଭିଡ ଲକ ଡାଉନ ସମୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କ ଭୂମିକାକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ ।
ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ମହାନିରୀକ୍ଷକ ରାଜା ରାମ ରେଳପଥ ପରିସୀମା ମଧ୍ୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର କାର୍ୟ୍ୟଦକ୍ଷତା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ ଓ ରେଳଯାତ୍ରୀ ମାନଙ୍କର ବହୁମୂଲ୍ୟ ଜୀବନର ସୁରକ୍ଷା ସହିତ ରେଳବାଇ ସମ୍ପତିର ସୁରକ୍ଷା ଦିଗରେ ରେଳବାଇ ସୁରକ୍ଷା ବଳ ସାମ୍ନା କରୁଥିବା ବିଭିନ୍ନ ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ସେମାନେ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି ।
ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ । କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହାସିକତା ପାଇଁ ରେଳବାଇ ସୁରକ୍ଷାବଳ ଯବାନମାନଙ୍କୁ ସେମାନଙ୍କର କାର୍ୟ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା ।