ସମମରେ ଓଡିଶାର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ
ଭୁବନେଶ୍ୱର, ୧୦/୫: ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗୀ ସମ୍ ଅଲ୍ଟିମେଟରେ ଚିହ୍ନଟ ହୋଇଛି |
ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମମର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ Mucromycosis ବା ବ୍ଲାକ ଫଂଗସ୍ ସଂକ୍ରମିତ ଥିବା ଜଣାପଡିଛି | ସମ ଆଲଟିମେଟରେ ଡାକ୍ତର ସାହୁ ଓ ତାଙ୍କ ଟିମ୍ ଚିକିତ୍ସା ଜାରି ରଖିଛନ୍ତି |
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ଇସ୍ତାହାର ଦ୍ଵାରା ସ୍ପଷ୍ଟ କରିଛି । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।
୭୧ ବର୍ଷ ବୟସ୍କ ଏହି ରୋଗୀ ମଧ୍ୟ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ । ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ୍ ହୋଇଥିଲା ଓ ସେ ଘରେ ସଂଗରୋଧରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ ନାକରୁ କଳା ପାଣି ବୋହିବାରୁ ସେ ସମମକୁ ଚିକିତ୍ସା ପାଇଁ ଶନିବାର ଦିନ ଆସିଥିଲେ । ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।
ଘରେ ସେ ଏକ ଅବ୍ୟବହୃତ ଏୟାର କୁଲର୍ ବ୍ୟବହାର କରିଥିଲେ ଓ ଏହାର ପାଣି ମଧ୍ୟ ବଦଳା ଯାଇନଥିଲା । ଏଥିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ରୋଗୀଙ୍କ ନମୁନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ସରକାରୀ ଇସ୍ତାହାରରେ କୁହାଯାଇଛି।
ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସାହୁଙ୍କ ମତରେ, କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି । ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନ୍ଧେ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର ସାହୁ କହିଛନ୍ତି |
ସରକାରୀ ଇସ୍ତାହାରରେ ରୋଗୀ ମଧୁମେହ ରୋଗରେ ପୀଡ଼ିତ ଥିବାରୁ Mucromycosisରେ ସଂକ୍ରମିତ ହୋଇଥିବା ସମ୍ଭବ ବୋଲି କୁହାଯାଇଛି। ସେ ପୁରୁଣା ଏୟାର କୁଲାର ବ୍ୟବହାର କରି ସଂକ୍ରମିତ ହୋଇଥାଇ ପାରନ୍ତି ।