ନଦୀୟାଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ
କଟକ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ନେଇ ତାଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି । କିଛିଦିନ ତଳେ ନଦୀୟା ବିହାରୀ ମହାନ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତକାଲି ପୂର୍ବାହ୍ନ ୧୧ଟାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଆସିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।
୧୯୩୧ ମସିହାରେ ନଦୀୟା ବିହାରୀ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ । ନଦୀୟା ବିହାରୀ ମହାନ୍ତି ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାର ପାଇଁ ବଡ଼ ଭୂମିକା ନିଭାଇଥିଲେ । ସେ ୩୦ଖଣ୍ଡ ଶିଶୁ ପୁସ୍ତକ ରଚନା କରିଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ବିୟୋଗରେ ଆକାଶବାଣୀ, ଶ୍ରୋତା ମହଲ ତଥା ଶିଶୁ ସାହିତ୍ୟିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ନଦୀୟା ବିହାରୀ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଆକାଶବାଣୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ବଡଭାଇ ଭୂମିକା ସହ ତାଙ୍କ ସରଳ, ସାବଲୀଳ ଶିଶୁ ସାହିତ୍ୟ ରଚନା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।