କରୋନାରେ ପୋଲିସ ଅଫିସରଙ୍କ ପରଲୋକ
ଭୁବନେଶ୍ୱର: କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆଙ୍କର ଆଜି ସକାଳେ କରୋନାଜନିତ ମୃତ୍ୟୁ ଘଟିଛି । ଗତ ୨୦ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାରୁ କୋରାପୁଟରେ ଚିକିତ୍ସାଧିନ ଥିଲେ । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ ଚାରି ଦିନ ତଳେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ପୋଲିସ ବିଭାଗର ଜଣେ ବରିଷ୍ଠ କରୋନା ଯୋଦ୍ଧାଙ୍କୁ ହରାଇବା ପରେ କୋରାପୁଟ ଜିଲ୍ଲା ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଧାରୁଆଙ୍କ ବିୟୋଗରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଷେଫୀନ୍ ଅହମ୍ମଦ୍ କେ, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଟାଉନ୍ ଏସଡିପିଓ ଗୁଣନିଧି ମଲ୍ଲିକ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଗଭୀର ଦୁଃଖପ୍ରକାଶ କରିଛନ୍ତି।
ଆଇଆଇସି ପୀତବାସ ଧାରୁଆଙ୍କ ଗାଁ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ନିକଟସ୍ଥ ଶଙ୍କରଡାରେ ବୋଲି ଜଣାପଡିଛି ।