ଯୋଗ ଓ ବ୍ୟାୟାମ ସୁସ୍ଥଜୀବନ ଆଣିଦେଇଥାଏ: ଡ. ସ୍ମରଜିତ
ବିଶ୍ୱ ଅଷ୍ଟିଓପୋରସିସ୍ ଦିବସ ଅବସରରେ ଡି.ଏ.ଭି କଳିଙ୍ଗ ନଗର ପକ୍ଷରୁ ଅନ୍ ଲାଇନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟପ୍ରତି ନିୟମିତ ପୃଷ୍ଟିକର ଖାଦ୍ୟ ସହିତ ଯୋଗ, ବ୍ୟାୟାମ ଓ ବିଶ୍ରାମର ଆବଶ୍ୟକତା ରହିଛି । ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ବିଶ୍ୱ ‘ଅଷ୍ଟିଓପୋରସିସ୍’ ଦିବସ ଅବସରରେ ଡି.ଏ.ଭି କଳିଙ୍ଗ ନଗର ପକ୍ଷରୁ ଭର୍ଚୁଆଲ ପଦ୍ଧତିରେ ଅନୁଷ୍ଠିତ ହୋଇଯାଇଅଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆପଲୋ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡ. ସ୍ମରଜିତ ପଟ୍ଟନାୟକ ମୁଖ୍ୟ ଅତିଥି ଓ ବକ୍ତାଭାବେ ଯୋଗଦେଇ ଅଷ୍ଟିଓଆଥ୍ରାଇଟିସ୍ ରେ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣାର କାରଣ ଓ ନିରାକରଣ ଉପରେ ବିଶେଷ ଆଲୋକପାତ କରିଥିଲେ । ଏଥିରୁ ସୁରକ୍ଷା ପାଇଁ ଯୋଗ ବ୍ୟାୟାମ ଓ ଜୀବନଶୈଳୀର ସରଳୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଯୋଗଦେଇଥିବା ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ସ୍ୱାଗତ ଭାଷଣ ଜରିଆରେ କାର୍ଯ୍ୟକ୍ରମଟି ଆରମ୍ଭ କରି ସାମ୍ପ୍ରତିକ ପରିସ୍ଥିତିରେ ଅନ୍ ଲାଇନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଜଗଦିଶ୍ ଚନ୍ଦ୍ର ଦାସ ଅଧିକାରୀ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।