କୃଷି ଓ କୃଷକ ବିଲ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଡାକରାରେ କୃଷି ଓ କୃଷକ ବିଲ୍ ବିରୋଧରେ ପ୍ରତିବାଦ, ବିକ୍ଷୋଭ ଓ ବନ୍ଦ ପାଳନ
ଭୁବନେଶ୍ଵର: ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ କୃଷି ଓ କୃଷକର ସର୍ବନାଶକାରୀ କୃଷି ବିଲ୍ ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଡାକରାରେ ଆଜି ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ, ବିକ୍ଷୋଭ, ରାସ୍ତାରୋକ, ଜେଲଭରୋ ଆନ୍ଦୋଳନ ସମେତ ଗ୍ରାମାଞ୍ଚଳ ଭାରତ ବନ୍ଦ ଆୟୋଜିତ ହୋଇଯାଇଛି ।
ରାଜଧାନୀ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ସହ ସହବନ୍ଧିତ ବିଭିନ୍ନ କୃଷକ ସଂଗଠନ ଯଥା, ଅଖିଳ ଭାରତ କୃଷକ ସଭା (ଏ.ଆଇ.କେ.ଏସ), ଓଡିଶା କୃଷକ ସଭା, ଅଖିଳ ଭାରତ କିଶାନ ମହାସଭା, ଅଗ୍ରଗାମୀ କୃଷକ ସଭା, ଅଲ ଇଣ୍ଡିଆ କ୍ଷେତ ମଜଦୁର କୃଷକ ସଂଗଠନ, ରାଷ୍ଟ୍ରୀୟ କଂଗ୍ରେସ କିଶାନ୍ ସେଲ, ଚାଷୀ ମୁଲିଆ ସୁରକ୍ଷା ଓ ସଂଗ୍ରାମ ପରିଷଦ ସମେତ ବିଭିନ୍ନ ଟ୍ରେଡ ଯୁନିଅନ ସିଟୁ, ଏଆଇଟିୟୁସି, ଏଆଇସିସିଟିୟୁ, ଏଆଇୟୁଟିୟୁସି, ବିକେଏମୟୁ, ବିଭିନ୍ନ ରାଜନୈତିକ ଦଳ ସିପିଆଇ, ସିପିଏମ, ସିପିଆଇ(ଏମ.ଏଲ)- ଲିବରେସନ, ଫରୱାର୍ଡ ବ୍ଲକ, ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ନେତୃବୃନ୍ଦ, ବିଭିନ୍ନ ଗଣ ସଂଗଠନ ଅଖିଳ ଭାରତ ଜନମଞ୍ଚ, ଜନଅଧିକାର ମଞ୍ଚ, ଲୋକଶକ୍ତି ଅଭିଯାନ, ଇନସାଫ, ଗାସ ଆଦି ସଂଗଠନର ସଦସ୍ୟ ମାନେ ଏକାଠି ହୋଇଥିଲେ । ଏହି ପ୍ରତିବାଦକୁ ସମର୍ଥନ କରି ନବ ନିର୍ମାଣ କୃଷକ ସଂଗଠନ, ଆମ ଅଧିକାର, ମୂଳନିବାସୀ ସମତା ପରିଷଦ ଭଳି ସଂଗଠନ ମାନେ ପ୍ରତିବାଦ ଓ ଆଇନ ଅମାନ୍ୟ କରି ଗିରଫ ହୋଇଥିଲେ ।
ମାଷ୍ଟରକ୍ୟାଣ୍ଟିନ ଛକରେ ସୁରେଶ ପାଣିଗ୍ରାହୀ ଓ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ରବି ଦାସ, କୃଷକ ନେତା ଶଶିଭୂଷଣ ସ୍ଵାଇଁ, ଶ୍ରମିକ ନେତା ମହେନ୍ଦ୍ର ପରିଡା,
ଜ୍ୟୋତିରଞ୍ଜନ ମହାପାତ୍ର, ରାଧାକାନ୍ତ ସେଠୀ, କଂଗ୍ରେସ କିଷାନ ସେଲର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ, କୃଷକ ନେତା ଜଗନ୍ନାଥ ମିଶ୍ର, କର୍ମଚାରୀ ନେତା ଦୁଷ୍ମନ୍ତ ଦାସ, ଟ୍ରେଡ ୟୁନିୟନ ନେତା ଜୟନ୍ତ ଦାସ, ଲୋହିଆ ଏକାଡେମୀ ତଥା ଲୋକଶକ୍ତି ଅଭିଯାନର ଦେବରାୟ ମହାପାତ୍ର, ଶ୍ରମିକ ନେତା ବଂଶିଧର ପରିଡା, ନାରୀନେତ୍ରୀ ପ୍ରମୋଦିନୀ ସାହୁ, ଆଦିବାସୀ ନେତା ସାଲ ମାରାଣ୍ଡି, ଯୁବ ନେତା ଯତୀନ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ପ୍ରତିବାଦକାରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
କେନ୍ଦ୍ର ବିଜେପି ସରକାରଙ୍କ ଦ୍ଵାରା ଯେପରି ଭାବେ କୃଷି ସମ୍ବନ୍ଧିତ ତିନୋଟି ଅର୍ଡିନାନ୍ସକୁ, ସଂସଦର ଭିତରେ ଅଥବା ବାହାରେ କୌଣସି ଆଲୋଚନା ନକରି ବିଲ୍ ଭାବେ ଆଗତ କରି ଧ୍ୱନି ମତରେ ଜବରଦସ୍ତି ଆଇନରେ ପରିଣତ କରିଦିଆଗଲା,ତାହା କୃଷକ ମାନଙ୍କର ସର୍ବନାଶ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ଗୃହୀତ କରାଇ କୃଷକ ମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସର୍ବନାଶ କରିବାର ନୀତି ମୋଦି ସରକାର ଗ୍ରହଣ କରିଛନ୍ତି । ତେଣୁ ଏହି ଜନବିରୋଧୀ କୃଷି ବିଲ୍ ପ୍ରତ୍ୟାହାର କଋବା,କୃଷି କ୍ଷେତ୍ରକୁ କର୍ପୋରେଟ୍ ହାତରେ ଟେକିଦେବା ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅସାଧୁ ସଂଶୋଧନ ବନ୍ଦ କରିବା, ମଣ୍ତି ବ୍ୟବସ୍ଥାର ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର, ଜନବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା,କମ୍ପାନୀ ଦ୍ଵାରା ଠିକା ଚାଷ ବ୍ୟବସ୍ଥା ବାତିଲ୍ କରିବା,ପାରମ୍ପରିକ ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦେବା, ପରିବେଶଗତ ପ୍ରଭାବ ଆକଳନ ନାମରେ ପରିବେଶକୁ ଧ୍ୱଂସ ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ଵାନ ଦିଆଯାଇଥିଲା ।
ସେହିପରି ଭାବେ ବର୍ତମାନ ସୁଦ୍ଧା ପ୍ରାପ୍ତ ସମ୍ବାଦରୁ ରାଜ୍ୟର ବ୍ରହ୍ମପୁର, ବରଗଡ, ମାଲକାନଗିରି, ରାୟଗଡା, କେଉଁଝର, ପୁରୀ, କଟକ, କୋରାପୁଟ, କୋଦଳା, ବାଲେଶ୍ଵର, କଙ୍କଡାହାଡ(ଢେଙ୍କାନାଳ), ଗୁଣୁପୁର, ସମ୍ବଲପୁର, କଣାସ(ପୁରୀ), ବନ୍ଧୁଙ୍ଗା, ଝାରସୁଗୁଡା, ପାରଳାଖେମୁଣ୍ଡି, ବ୍ରହ୍ମଗିରି, ଆଠମଲ୍ଲିକ, ମୁନିଗୁଡା, କାଶୀନଗର(ଗଜପତି), ସୋରଡା(ଗଞ୍ଜାମ), ଡେଲାଙ୍ଗ/ଗୋପ(ପୁରୀ), କରଞ୍ଜିଆ, ଯୋଡା ଓ ଅନ୍ୟାନ୍ୟ ସ୍ଥାନରେ ଉପରୋକ୍ତ ସଂଗଠନ ମାନଙ୍କ ସମେତ ଚାଷୀ ମୁଲିଆ ସଂଘ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା, ଅଲ ଇଣ୍ଡିଆ କ୍ଷେତ ମଜଦୁର ସଭା, ଲୋକଶକ୍ତି ଅଭିଯାନ, ମାନବ ଅଧିକାର ସୁରକ୍ଷା ସଂଗଠନ, ଜନ ଜାଗରଣ ମଞ୍ଚ, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସିଏସଡି), ଚାଷୀ ଅଧିକାର ସଂଗ୍ରାମ ମଞ୍ଚ, ବନବାସୀ ସୁରକ୍ଷା ପରିଷଦ ନେତୃତ୍ଵରେ ରାସ୍ତାରୋକ, ପ୍ରତିବାଦ, ବନ୍ଦ ଏବଂ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।