ବନ୍ୟା: ଓଡିଶା ମାଗିଲା ୧୧୦୦ କୋଟି
ଭୁବନେଶ୍ୱର: ଓଡିଶାରେ ଗତ ଅଗଷ୍ଟ ମାସରେ ହୋଇଥିବା ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ବାବଦରେ କେନ୍ଦ୍ରକୁ ପ୍ରାୟ ୧୧୦୦ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି ରାଜ୍ୟ ସରକାର । ଏହାସହ ବିପର୍ଯ୍ୟୟ ପ୍ରତିରୋଧ ପାଇଁ ସ୍ଥାୟୀ ପଦକ୍ଷେପ ଲାଗି ଆବଶ୍ୟକ ଅର୍ଥ ପ୍ରଦାନ ପାଇଁ ମଧ୍ୟ ଦାବି କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।
ଓଡିଶାରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ୨ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଗୁରୁବାର ଅପରାହ୍ନରେ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସିଥିବା ଏକ ୫ ଜଣିଆ କେନ୍ଦ୍ରୀୟ ଟିମ୍ ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ପରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ଜଳ ସମ୍ପଦ, ପଂଚାୟତିରାଜଆଦି ବିଭାଗର ସଚିବମାନେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି, ରିଲିଫ୍ ଓ ସ୍ଥାନାନ୍ତର ସମ୍ପର୍କରେ ସୂଚନା ଦେଇଥିଲେ ।
ଅପରପକ୍ଷରେ କେନ୍ଦ୍ରୀୟ ଟିମ୍ ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେବଳ ଏସଡିଆରଫ୍ ନିୟମ ଅନୁଯାୟୀ ରାଜ୍ୟକୁ ସହାୟତା କରିବା ବ୍ୟତୀତ ନଦୀ ବନ୍ଧକୁ ମଜବୁତ କରିବା, ନୂତନ ବନ୍ଧ ନିର୍ମାଣ, କ୍ଷତିଗ୍ରସ୍ତ ଘର ପାଇଁ କ୍ଷତିପୂରଣ ଆଦି ପାଇଁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟର ଆଭିମୁଖ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବାର ନୂତନ ଆଭିମୁଖ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛି । ଚଳିତ ବନ୍ୟାରେ ପ୍ରାୟ ୨.୨୫ ଲକ୍ଷ ହେକ୍ଟର କୃଷି ଏବଂ ଫସଲ ଜମିରେ ୩୩% ରୁ ଅଧିକ କ୍ଷତି ହୋଇଛି । ସେହିଭଳି ପ୍ରାୟ ୧,୨୦,୦୦୦ ଘର କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ନଦୀ ବନ୍ଧ, ସଡ଼କ, ବିଭିନ୍ନ ଭିତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।