ବିବେକାନନ୍ଦ ଅବସର ନେଲେ
ଭୁବନେଶ୍ୱର, ୦୪/୦୪/୨୦୧୯: ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିବେକାନନ୍ଦ ବିଶ୍ୱାଳ ଗତ ମାର୍ଚ୍ଚ ୩୧ ତାରିଖ ଦିନ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ତାଙ୍କର ଅବସର ପରବର୍ତ୍ତୀ ସମୟ ଅର୍ଥପୂର୍ଣ୍ଣ ହେବ ବୋଲି ଆଶା କରାଯାଇଛି । ଆଜି ଅପରାହ୍ନରେ ବିଭାଗର ସମ୍ମିଳନୀ କକ୍ଷରେ ଶ୍ରୀ ବିଶ୍ୱାଳଙ୍କୁ ସେବାନିବୃତ୍ତି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ରଖି ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଶ୍ରୀ ବିଶ୍ୱାଳଙ୍କ କର୍ମତତ୍ପରତା ଓ ଦକ୍ଷତାର ପ୍ରଶଂସା କରିଥିଲେ । ସୂଚନା ଅଧିକାରୀ ଶ୍ରୀ ଉମାକାନ୍ତ ମହାପାତ୍ର, ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ, ଶ୍ରୀ ଲଲାଟେନ୍ଦୁ ମହାପାତ୍ର ସେମାନଙ୍କ ବକ୍ତବ୍ୟରେ ଶ୍ରୀ ବିଶ୍ୱାଳଙ୍କ ପରି ଜଣେ ଅମାୟିକ, ଦକ୍ଷ ଓ ଅଙ୍ଗୀକୃତ ପଦାଧିକାରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ମତପ୍ରଦାନ କରିଥିଲେ । ସେବାନିବୃତ୍ତ ଶ୍ରୀ ବିଶ୍ୱାଳ ମଧ୍ୟ ନିଜେ ସମ୍ବର୍ଦ୍ଧନାର ଉତ୍ତର ଦେଇ ବିଭାଗ ପ୍ରତି ତାଙ୍କର କୃତଜ୍ଞତା ଜ୍ଞାପନ କରିବା ସହିତ ସହକର୍ମୀ ତଥା ପଦାଧିକାରୀମାନଙ୍କ ପ୍ରେରଣାର ସ୍ମୃତିଚାରଣ କରିଥିଲେ ।
ଏହି ଅବସରରେ ମଧ୍ୟ ବିଭାଗର ୪ର୍ଥ ଶ୍ରେଣୀ କର୍ମଚାରୀ ପ୍ରେସ୍ ଲାଉଞ୍ଜରେ ଅବସ୍ଥାପିତ ବ୍ରଜବନ୍ଧୁ ଦାଶଙ୍କୁ ସେବାନିବୃତ୍ତିଜନିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଭୟ ଶ୍ରୀ ବିଶ୍ୱାଳ ଓ ଶ୍ରୀ ଦାଶଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।