ମୋଦୀ: ଭାରତୀୟ ବୈଜ୍ଞାନିକ କର୍ମଯୋଗୀ
ଉଭୟ ନବସୃଜନର ଆନୁଷ୍ଠାନିକରଣ ଏବଂ ଗବେଷଣାର ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ, ଜାନୁଆରୀ ୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗବେଷଣାକୁ ମଣିଷର ଆତ୍ମା ଭଳି ଏକ ଶାଶ୍ୱତ ଉପକ୍ରମଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଗବେଷଣା ଏବଂ ନବସୃଜନର ଆନୁଷ୍ଠାନିକରଣର ଦ୍ୱୈତ ଲକ୍ଷ୍ୟକୁ ମିଳିତ ଉପଯୋଗ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଜାତୀୟ ମାପ ଓ ଓଜନ ବିଚାର ଗୋଷ୍ଠୀ ୨୦୨୧ରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁଇ କାର୍ଯ୍ୟର ସୁଫଳ ଉଠାଇବାକୁ ପଡିବ । ଏହି ଅବସରରେ ସେ ଜାତୀୟ ଆଣବିକ ସମୟ ମାପକ ବା ଅଟୋମିକ୍ ଟାଇମ ସ୍କେଲ ଓ ଭାରତୀୟ ନିର୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହାଛଡା ସେ ମଧ୍ୟ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶଗତ ମାନ ପ୍ରୟୋଗଶାଳାର ଆଧାରଶିଳା ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଜ୍ଞାନ ଓ ବିଷୟରେ ଗବେଷଣାର ଭୂମିକା ଉପରେ ସବିଶେଷ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଯେକୌଣସି ପ୍ରଗତୀଶୀଳ ସମାଜରେ ଗବେଷଣା କେବଳ ଏକ ସ୍ୱାଭାବିକ ଅଭ୍ୟାସ ନୁହେଁ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ସେ କହିଥିଲେ ଯେ ଗବେଷଣାର ପ୍ରଭାବ ବ୍ୟାବସାୟିକ କିମ୍ବା ସାମାଜିକ ହୋଇପାରେ ଏବଂ ଏହା ଆମର ଜ୍ଞାନର ପରିସୀମା ଓ ବୋଧଜ୍ଞାନକୁ ବଢାଇଥାଏ । ଭବିଷ୍ୟତର ଗତିବିଧିକୁ ସବୁବେଳେ ଆନ୍ଦାଜ କରିବା ସମ୍ଭବ ନୁହେଁ । ସେହିଭଳି ଗବେଷଣାଲବ୍ଧ ଫଳର ବ୍ୟବହାରକୁ ମଧ୍ୟ ଅନୁମାନ କରିବା କଷ୍ଟ । ତେବେ ଗୋଟିଏ କଥା ନିଶ୍ଚିତ ଯେ ଗବେଷଣା ଜ୍ଞାନର ଏକ ନୂଆ ଅଧ୍ୟାୟ ଖୋଲେ; ଯାହା କେବେ ବ୍ୟର୍ଥ ଯାଏନି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ର ସ୍ରଷ୍ଟା ମେଣ୍ଡେଲ୍ ଓ ନିକୋଲାସ ଟେସ୍ଲାଙ୍କ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସେମାନଙ୍କ ଗବେଷଣାର ମୂଲ୍ୟକୁ ବହୁ ବିଳମ୍ବରେ ସ୍ୱୀକୃତି ମିଳିଥିଲା ।
ଅନେକ ଥର ଗବେଷଣା ତତ୍କାଳ ଏହାର ଲକ୍ଷ୍ୟ ପୂରଣରେ ସଫଳ ହୋଇ ନ ଥାଏ, କିନ୍ତୁ ଅନ୍ୟ କ୍ଷେତ୍ରରେ ତାହା ଯୁଗାନ୍ତକାରୀ ପ୍ରମାଣିତ ହୁଏ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷଙ୍କ ମାଇକ୍ରୋୱେଭ ତତ୍ତ୍ୱର ଉଦାହରଣ ଦେଇଥିଲେ । ସେ କହିଥିଲେ ଏହି ତତ୍ତ୍ୱର ବ୍ୟାବସାୟିକ ଉପଯୋଗ ସେତେବେଳେ ହୋଇପାରି ନଥିଲା । ଏବେ କିନ୍ତୁ ସମଗ୍ର ରେଡିଓ ଯୋଗାଯୋଗ ବ୍ୟବସ୍ଥାର ଏହା ମୌଳିକ ଭିତ୍ତି ପାଲଟିଛି । ସେ ମଧ୍ୟ ବିଶ୍ୱ ଯୁଦ୍ଧ ସମୟରେ ହୋଇଥିବା ଗବେଷଣାଗୁଡିକର ଉଦାହରଣ ଦେଇଥିଲେ ଏବଂ ତାହା ବିଭିନ୍ନ କ୍ଷେତ୍ରରେ କିପରି ବିପ୍ଳବ ଆଣିଥିଲା ତାହା ସୂଚାଇଥିଲେ । ଏବେ ତାହାର ଲାଭ ଆମେ ଉଠାଉଛୁ ବୋଲି ସେ କହିଛନ୍ତି । ସେଥିପାଇଁ ଆମ ବୈଜ୍ଞାନିକଗଣ ବିଶେଷକରି ଯୁବ ବିଜ୍ଞାନୀମାନେ ଗବେଷଣାର ପାରସ୍ପରିକ ଉର୍ବରଣ ବା କ୍ରସ ଫର୍ଟିଲାଇଜେସନ ଉପରେ ଗୁରୁତ୍ୱ ଦେଇ ସେହି ସମ୍ଭାବନାର ଦିଗକୁ ଉନ୍ମୋଚନ କରିବାର ଆବଶ୍ୟକତା ରହିଛି । ଏହି ଯୁବ ବିଜ୍ଞାନୀମାନେ ନିଜ କ୍ଷେତ୍ର ବାହାରେ ମଧ୍ୟ ନିଜର ଗବେଷଣା ସମ୍ଭାବନାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଛୋଟ ଛୋଟ ଗବେଷଣା କିପରି ଦୁନିଆର ରୂପ ବଦଳାଇଛି ତାହାର ଅନେକ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଆଜି ଯେଉଁ ବିଜୁଳି ଶକ୍ତି ଦ୍ୱାରା ପ୍ରାୟ ସବୁକାମ କରାଯାଉଛି ତାହା ଏହିଭଳି ଗବେଷଣାରୁ ବାହାରିଛି । ପରିବହନ, ଯୋଗାଯୋଗ, ଉଦ୍ୟୋଗ ଏବଂ ଦୈନନ୍ଦିନ ଜୀବନରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ସେହିଭଳି ସେମିକଣ୍ଡକ୍ଟର ଭଳି ସାମଗ୍ରୀର ଉଦ୍ଭାବନ ଡିଜିଟାଲ ବିପ୍ଳବ ଆଣି ଆମ ଜୀବନକୁ ଋଦ୍ଧିମନ୍ତ କରିଛି । ଆମ ଯୁବ ଗବେଷକଙ୍କ ଆଗରେ ଏଭଳି ଅନେକ ସମ୍ଭାବନା ରହିଛି । ସେଥିରେ ସେମାନଙ୍କ ସଫଳତା ଓ ଉଦ୍ଭାବନ ଆମ ପାଇଁ ସଂପୂର୍ଣ୍ଣଭାବେ ଏକ ନୂଆ ଭବିଷ୍ୟତ ନିମନ୍ତେ ବାଟ କଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ଏକ ପରିବେଶତନ୍ତ୍ର ସୃଷ୍ଟି କରିବାକୁ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଇତିମଧ୍ୟରେ ବିଶ୍ୱ ଇନୋଭେସନ ର୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫୦ ଦେଶଙ୍କ ମଧ୍ୟରେ ସ୍ଥାନ ପାଇଛି । ଇଂଜିନିୟରିଂ ଓ ବିଜ୍ଞାନ ପବ୍ଳିକେସନ କ୍ଷେତ୍ରରେ ପିଅର ରିଭ୍ୟୁରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି । ଏଥିରୁ ପ୍ରମାଣିତ ହେଉଛି ଯେ ଆମେ ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଦେଉଛୁ । ଏହାଦ୍ୱାରା ଉଦ୍ୟୋଗ ଏବଂ ଅନୁଷ୍ଠାନ ମଧ୍ୟରେ ସହଯୋଗ ଦୃଢୀଭୂତ ହେଉଛି । ବିଶ୍ୱର ସବୁ ବଡ଼ ବଡ଼ କଂପାନୀଗୁଡିକ ଭାରତରେ ସେମାନଙ୍କର ଗବେଷଣାଗାର ପ୍ରତିଷ୍ଠା କରୁଛନ୍ତି । ନିକଟ ଅତୀତରେ ଏ ସବୁ ଗବେଷଣାଗାରର ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗବେଷଣା ଓ ନବସୃଜନର ସମ୍ଭାବନା ଭାରତୀୟ ଯୁବ ସମାଜ ପାଇଁ ଅସୀମ । ସୁତରାଂ ନବସୃଜନ ବା ଇନୋଭେସନର ଆନୁଷ୍ଠାନିକରଣ ଇନୋଭେସନ ଭଳି ସମାନଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୌଦ୍ଧିକ ସ୍ୱତ୍ୱାଧିକାରକୁ କିପରି ସୁରକ୍ଷିତ କରାଯିବ ଆମ ଯୁବ ସମାଜ ତାହା ବୁଝିବା ଉଚିତ । ଆମକୁ ମନେ ରଖିବାକୁ ପଡିବ ଯେ ଆମ ପେଟେଣ୍ଟର ସଂଖ୍ୟା ଅଧିକ ହେଲେ ସେଗୁଡିକର ଉପଯୋଗିତା ମଧ୍ୟ ଅଧିକ ରହିବ । ଆମ ପରିଚୟ ସବୁ କ୍ଷେତ୍ରରେ ଅଧିକ ମଜଭୁତ ହେବ ଏବଂ ଆମ ଗବେଷଣା ସୁଦୃଢ ତଥା ଅତ୍ୟାଧୁନିକ ସାବ୍ୟସ୍ତ ହୋଇପାରିବ । ଏହା ଭାରତୀୟ ସାମଗ୍ରୀ ବା ବ୍ରାଣ୍ଡ ଇଣ୍ଡିଆକୁ ଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତୀୟ ବୈଜ୍ଞାନିକମାନଙ୍କୁ ସେ କର୍ମଯୋଗୀ ଭାବେ ସମ୍ବୋଧିତ କରି ସେମାନେ ସନ୍ନ୍ୟାସୀ ପରି ପରୀକ୍ଷାଗାରରେ ନିଜ ଗବେଷଣାରେ ବ୍ରତୀ ରହୁଥିବାରୁ ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ୧୩୦ କୋଟି ଜନତାଙ୍କର ଯୋଗସୂତ୍ର ରକ୍ଷାକାରୀ ଭାବେ ଏହି ବୈଜ୍ଞାନିକମାନେ କାର୍ଯ୍ୟ କରୁଛନ୍ତି ।