ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ମଇ 28: କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବୈଶ୍ବିକ ମହାମାରୀ କରୋନା ଲଢେଇରେ ପ୍ରଥମ ଧାଡ଼ିର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ଦେଶ ପ୍ରେମର ନିବେଦନ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ।
ବନ୍ଦେ ଉତ୍କଳ ଜନନୀ ସାଢେ 4 କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ଓ ଭାବନା ସହ ଜଡ଼ିତ । ମାଟି ମାଆକୁ ଉତ୍ସର୍ଗ ହୋଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ପ୍ରେରଣାଦାୟୀ ବନ୍ଦେ ଉତ୍କଳ ଜନନୀକୁ ଗାନ କରିବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାବାସୀ ଓ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଟୁଇଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି ।