ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଜି

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ । କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି । ରିପବ୍ଲିକାନ୍ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ୍ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି । କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସ (ନଭେମ୍ବର ୩)ଠାରୁ ଆଗୁଆ ମତଦାନ କରାଯାଇଛି । ଭିଡ଼ରୁ ବର୍ତ୍ତିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ‘ଆର୍ଲି ଭୋଟିଂ’ କୁହାଯାଉଛି । ନିର୍ବାଚନ ଦିବସର ଏକ ସପ୍ତାହ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ‘ଆର୍ଲି ଭୋଟିଂ’ କରି ସାରିଛନ୍ତି । ଏମାନେ ଇ-ମେଲ ଅଥବା ପୋଷ୍ଟାଲ ବେଲେଟ୍‌ ମାଧ୍ୟମରେ ମତଦାନ କରିଛନ୍ତି ।

ଆସନ୍ତାକାଲି ନିର୍ବାଚନ ଆରମ୍ଭ ଓ ଶେଷ ହେବ । ମତଦାନ ଶେଷ ହେବା ପରେପରେ ଭୋଟ ଗଣତି କରାଯିବ । ସରକାରୀ ଭାବେ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ତେବେ ମତଦାନ ପରଦିନ ସାମ୍ଭାବ୍ୟ ଫଳାଫଳ ଜଣାପଡ଼ିଯିବ । ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ କଂଗ୍ରେସ (ଆମେରିକୀୟ ସଂସଦ)ରେ ନିର୍ବାଚିତ ପ୍ରତିନିଧିଙ୍କ ଭୋଟ ଗଣତି ଆରମ୍ଭ ହେବ । ସେହିମାସ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଦେଶର ୫୦ଟି ରାଜ୍ୟ ୨ ଜଣ ଲେଖାଏଁ (୧୦୦ଜଣ) ପ୍ରତିନିଧି ସିନେଟ(ସଂସଦର ଉଚ୍ଚ ସଦନ)କୁ ନିର୍ବାଚିତ କରିଥାନ୍ତି ।

ସେହିପରି ଜନସଂଖ୍ୟା ଅନୁସାରେ ବିଭିନ୍ନ ରାଜ୍ୟ ୪୩୫ ଓ ୱାଶିଂଟନ୍ ଡିସିରୁ ୩ଜଣ, ଏହିପରି ମୋଟ ୪୩୮ ଜଣ ପ୍ରତିନିଧି ସଭା(ନିମ୍ନ ସଦନ)କୁ ନିର୍ବାଚିତ ହୋଇଥାନ୍ତି । ମୋଟ ୫୩୮ ଜଣ ସାଂସଦ(ଇଲେକ୍ଟର୍ସ) ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତି ଅଥବା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ କୌଣସି ଦଳ ୨୭୦ଟି ଆସନ ପାଇବା ଆବଶ୍ୟକ । ପ୍ରତିନିଧି ସଭାର ୪୩୮ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୁଥିବାବେଳେ ସିନେଟର ୧୦୦ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି । ଏହି ନିର୍ବାଚନରେ ଭାରତୀୟ ବଂଶଜ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *